
ପୁରୀ: ଶାସ୍ତ୍ର ଓ ପରମ୍ପରା ବିରୋଧରେ ହେଉଥିବା ଅଦିନିଆ ରଥଯାତ୍ରା ବନ୍ଦ ହେବ। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର କଡ଼ା ଆଭିମୁଖ୍ୟ ପରେ, ବିଭିନ୍ନ ସ୍ଥାନରେ ଇସ୍କନ୍ (ISKCON) ଦ୍ୱାରା ଆୟୋଜିତ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ପ୍ରଶାସନିକ ହସ୍ତକ୍ଷେପ ଦ୍ୱାରା ଅଟକାଇବାକୁ ଚାଲିଛି ପ୍ରୟାସ। ତେବେ ଏହାରି ଭିତରେ ପୁରୀ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ କରିଛି ବେଙ୍ଗାଲୁରୁ ଇସ୍କନ। ନିର୍ଦ୍ଧାରିତ ତିଥିରେ ହିଁ ହେବ ରଥଯାତ୍ରା। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପରମ୍ପରା ଓ ରଥଯାତ୍ରା ସମୟକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ଆଭିମୁଖ୍ୟକୁ ବେଙ୍ଗାଲୁରୁ ସ୍ଥିତ ଇସ୍କନ ପକ୍ଷରୁ ପୂର୍ଣ୍ଣ ସମର୍ଥନ ମିଳିଛି।
ଦୁଇ ଇସ୍କନ ସଂଗଠନ ମଧ୍ୟରେ ଭିନ୍ନମତ ଦେଖିବାକୁ ମିଳିଛି। ବେଙ୍ଗାଲୁରୁ ଇସ୍କନର ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷ ମଧୁ ପଣ୍ଡିତ ଦାସ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଏକ ପତ୍ର ଲେଖି ନିଜର ସ୍ପଷ୍ଟ ଆଭିମୁଖ୍ୟ ଜଣାଇଛନ୍ତି । ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗ୍ଲୋବାଲ ହରେ କୃଷ୍ଣ ମୁଭମେଣ୍ଟର ସମସ୍ତ କେନ୍ଦ୍ରରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମୂଳ ପୀଠ ଦ୍ୱାରା ଅନୁମୋଦିତ ନଅ ଦିନିଆ ସମୟସୀମା ମଧ୍ୟରେ ହିଁ ରଥଯାତ୍ରା ଆୟୋଜନ କରାଯିବ ।
ଏହା ସହିତ ନିର୍ଦ୍ଧାରିତ ତିଥିରେ ହିଁ ସ୍ନାନଯାତ୍ରା ନୀତି ସମ୍ପନ୍ନ କରାଯିବ । ଏହି ନିଷ୍ପତ୍ତି ସମସ୍ତ ସନାତନୀଙ୍କୁ ପ୍ରଭୁ ଜଗନ୍ନାଥଙ୍କ ସେବାରେ ଏକଜୁଟ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ପୁରୀର ପ୍ରାଚୀନ ପରମ୍ପରା ରକ୍ଷା କରିବା ଦିଗରେ ଗଜପତି ମହାରାଜାଙ୍କ ନିରଳସ ସେବାକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। ପତ୍ରରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ବେଙ୍ଗାଲୁରୁ ଇସ୍କନ ହେଉଛି ପଶ୍ଚିମବଙ୍ଗର ମାୟାପୁରରେ ମୁଖ୍ୟାଳୟ ଥିବା ଅନ୍ୟ ଇସ୍କନ ସଂଗଠନଠାରୁ ସମ୍ପୂର୍ଣ୍ଣ ପୃଥକ୍ ଓ ସ୍ୱାଧୀନ ପ୍ରତିଷ୍ଠାନ । ମାୟାପୁର ଗ୍ରୁପ୍ ମୁମ୍ବାଇରେ ପଞ୍ଜୀକୃତ ହୋଇଥିବା ବେଳେ ବେଙ୍ଗାଲୁରୁ ଇସ୍କନ ସୋସାଇଟି କର୍ଣ୍ଣାଟକରେ ପଞ୍ଜୀକୃତ । ଏହି ରଥଯାତ୍ରା ପ୍ରସଙ୍ଗରେ ସେମାନଙ୍କ ଆଭିମୁଖ୍ୟ ମାୟାପୁର ଇସ୍କନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ସେମାନେ ପୁରୀ ଶ୍ରୀମନ୍ଦିରର ତିଥି ଓ ନିୟମକୁ କଡ଼ାକଡ଼ି ଭାବେ ପାଳନ କରନ୍ତି ।
