ଛାତ୍ରଙ୍କୁ ମାଟି କାମ କରାଉଥିବା ଅଭିଯୋଗ

add-all

ନୟାଗଡ଼ (ନିସର୍ତ୍ତ): ବିଦ୍ୟାଳୟରେ ଛାତ୍ର ମାନଙ୍କୁ ନେଇ ମାଟି କାମ କରାଉଥିବା ନେଇ କେତେକ ଅଭିଭାବକ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ନୟାଗଡ଼ ଜିଲ୍ଲା ରଣପୁର ଶିକ୍ଷା ମଣ୍ଡଳ ଚାନ୍ଦପୁର ସାଧନ କେନ୍ଦ୍ର ଅଧୀନ ମଶାଣି ସାହି ଗୋପବନ୍ଧୁ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଦିନ ପୂର୍ବାହ୍ନ ଦଶଟା ସମୟରେ ସ୍କୁଲ ପରିସରରେ କୋଡ଼ି,କୋଦାଳ ଆଦି ନେଇ କିଛି କୋମଳମତି ଛାତ୍ର ମାଟି କାମ କରୁଥିବା ଦେଖିବାକୁ ମିଳିଛି ଏବଂ ନିକଟରେ ଶିକ୍ଷୟିତ୍ରୀ କଳ୍ପନା ପ୍ରଧାନ ଠିଆ ହୋଇ ନିର୍ଦ୍ଦେଶ ଦେଉଥିବା ନେଇ କେତେକ ଅଭିଭାବକ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଘଟଣା ସମ୍ପର୍କରେ ବ୍ଲକ୍‌ ଶିକ୍ଷା ଅଧିକାରୀ ପିଣ୍ଟୁ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏ ସମ୍ଵନ୍ଧରେ ସେ ଜଣେ ବ୍ୟକ୍ତିଙ୍କ ଠାରୁ ଫୋନ କଲ୍ ପାଇଥିଲେ । ଏହାପରେ ସେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କହିଛନ୍ତି। ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବେହେରା ଛାତ୍ରମାନଙ୍କୁ କଳ୍ପନା ଦିଦି ମାଟିକାମ କରାଉଥିବା ସ୍ୱୀକାର କରିଛନ୍ତି । ବିଦ୍ୟାଳୟ ପଛପଟ ଛୋଟ ଗେଟ୍ ରାସ୍ତାରେ ପାଣି ଜମା ହେଇ ବର୍ଷା ବେଳେ କେତେକ ଛାତ୍ର ଓ ଶିକ୍ଷୟିତ୍ରୀ ଗୋଡ଼ ଖସି ପଡ଼ିଯାଇଥିଲେ। ତେଣୁ କାଦୁଅ ଉପରେ ମାଟିଗୋଡ଼ି ପକାଉଥିଲେ। ମଧୁବାବୁ ତ ପୁଣି ରାସ୍ତା ଘାଟ ସମତଳ କରୁଥିଲେ। ପିଲା ମାଟି କାମ କଲେ ଅସୁବିଧା କ’ଣ ?ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପବିତ୍ର ପ୍ରଧାନ କୁହନ୍ତି ମୁଁ ଭୋଟର ତାଲିକା ସଂଶୋଧନ ତାଲିମ ବୈଠକରେ ଅଛି। ଘଟଣା ସମ୍ପର୍କରେ ଉକ୍ତ ଶିକ୍ଷୟିତ୍ରୀଙ୍କ ସହ କଥାବାର୍ତ୍ତା ହୋଇଛି। ବିଦ୍ୟାଳୟ ପରିବେଶ ଓ ଅଗ୍ନୀ ନିରାପତ୍ତା ପାଇଁ ପ୍ରତିବର୍ଷ କଣ୍ଟିଜେନସି ବାବଦରେ ହଜାର ହଜାର ଟଙ୍କା ବିଦ୍ୟାଳୟ ଗୁଡ଼ିକୁ ସରକାର ଅନୁଦାନ ଦେଉଛନ୍ତି। କିନ୍ତୁ ଏହାର ବିନିଯୋଗ ନହୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ କାମରେ ଲଗାଉଛନ୍ତି ବୋଲି କେତେକ ଅଭିଭାବକ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.