
ଭୁବନେଶ୍ୱର: ଓଡ଼ିଶାରେ ପୁଣି ଡରାଇଲାଣି କରୋନା। ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲ୍ଲାରେ ଜଣେ ୫୦ ବର୍ଷିୟ ମହିଳା କୋଭିଡ ପଜିଟିଭ ରହିଥିବା ବେଳେ ଆଜି ଆଉ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ପଷ୍ଟ କଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରବିନ୍ଦ୍ର ନାଥ ମିଶ୍ର। ୨ ଜଣ କ୍ୱାରେନଣ୍ଟାଇନରେ ଅଛନ୍ତି। ଜଣେ ସଂକ୍ରମିତ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି। ଭଲ ରହିଛି ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ। କୋଭିଡ ସ୍ଥିତି ଗୁରୁତର ନୁହେଁ ବୋଲି କହିଲା ସ୍ୱାସ୍ଥ୍ଯ ବିଭାଗ।
ମଙ୍ଗଳବାର ଏମ୍କେସିଜି ମେଡିକାଲରେ ୩ଜଣ ମହିଳା (୨ଜଣ ରୋଗୀ ଓ ଜଣେ ମେଡିକାଲ କର୍ମଚାରୀ) କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ କୋଭିଡ-୧୯ ସଂକ୍ରମଣ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ଜନସାଧାରଣଙ୍କୁ ଆତଙ୍କିତ ନହେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପରାମର୍ଶ ଦେଇଛି। ବିଭାଗର ସୂଚନା ଅନୁଯାୟୀ, ଭାରତ ସରକାରଙ୍କ ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭେଲାନ୍ସ ପ୍ରୋଗ୍ରାମ୍ ଏବଂ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ସ୍ବାଧୀନ ଭାବେ କୋଭିଡ୍-୧୯ ସ୍ଥିତିର ମୂଲ୍ୟାଙ୍କନ କରିଛନ୍ତି।
ଏହି ମୂଲ୍ୟାଙ୍କନରେ ସଂକ୍ରମଣର ସ୍ତର ବହୁତ କମ୍ ଥିବା ଜଣାପଡ଼ିଛି। ତେଣୁ ଏହି ପରିସ୍ଥିତିକୁ ନେଇ ଲୋକମାନେ ଆତଙ୍କିତ ନ ହେବାକୁ ବିଭାଗ ଅନୁରୋଧ କରିଛି। କୋଭିଡ୍-୧୯ ରୋଗୀଙ୍କ ନିୟମିତ ନିରୀକ୍ଷଣ, ଚିକିତ୍ସା ଏବଂ କ୍ଲିନିକାଲ୍ ସତର୍କତା ଭାରତ ସରକାରଙ୍କ ପ୍ରୋଟୋକଲ୍ ଅନୁଯାୟୀ ଜାରି ରହିଛି। ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ ଅନୁଷ୍ଠାନକୁ ଆବଶ୍ୟକ ପ୍ରସ୍ତୁତି ବଜାୟ ରଖିବା ସହ କୌଣସି ଅସ୍ବାଭାବିକ ସ୍ଥିତି ଦେଖାଦେଲେ ତୁରନ୍ତ ରିପୋର୍ଟ କରିବାକୁ କୁହାଯାଇଛି।
