
ଢ଼େଙ୍କାନାଳ : ବରଯାତ୍ରୀ ହେଲା ଶେଷଯାତ୍ରା । ନିମିଷକରେ ପାଣି ଫୋଟକା ପରି ମିଳାଇ ଗଲା ହସ ଖୁସିର ମୁହୂର୍ତ୍ତ । ପୋଖରୀକୁ ଖସିଲା କାର୍, ୫ ମୃତ । କାର୍ ଭିତରେ ଥିବା ୭ ଜଣଙ୍କ ମଧ୍ୟରୁ ୫ ମୃତ । ଢ଼େଙ୍କାନାଳ ସଦର ଥାନା ଇନ୍ଦିପୁର – ଛାଟିଆ ଗାଁ ନିକଟରେ ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏକ ବରଯାତ୍ରୀ କାର ବାଙ୍ଗୁର ସିଂହ ଗାଁରୁ ଇନ୍ଦୁପୁର ଛାଟିଆ ଗାଁକୁ ଆସୁଥିଲେ । ବାଟରେ କାରଟି ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଥିଲା । ଫଳରେ କାର ଭିତରର ଥିବା ସାତ ଜଣଙ୍କ ମଧ୍ୟରୁ ୫ଜଣ ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ ।
ଖବର ପାଇ ଢେଙ୍କାନାଳ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର ଭିତରୁ ସମସ୍ତଙ୍କୁ ଉଦ୍ଧାର କରିଥିଲା । ୫ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ମୃତକ ହେଲେ ବାଙ୍ଗୁରସିଂହ ଗାଁର ରାମ ସାହ, ଅବିନାଶ ସାହୁ , ରାକେଶ କୁମାର ସାହୁ , ଚନ୍ଦ୍ରକାନ୍ତ ସ୍ବାଇଁ ଓ ଅନ୍ୟ ଜଣେ ବରର ମାଉସି ପୁଅ ଭାଇ । ମୃତଦେହକୁ ବ୍ୟବଛେଦ ପାଇଁ ଢେଙ୍କାନାଳ ଡାକ୍ତରଖାନା ପଠାଯାଇଛି । ଏହି ଦୁଃଖଦ ଖବର ବାଙ୍ଗୁରସିଂହ ଓ ଇନ୍ଦିପୁର ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।
