ସରଗୋଡ଼ା ପୁର୍ଣ୍ଣେଶ୍ୱର ୟୁପି ସ୍କୁଲ କସ୍ତୁରବା ଗାନ୍ଧୀ ଛାତ୍ରୀନିବାସରେ ଝାଡ଼ା-ବାନ୍ତି : ୩୦ ଅନ୍ତେବାସୀ ଅସୁସ୍ଥ

add-all

ରାଇରଙ୍ଗପୁର:  ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ସରଗୋଡ଼ା ପୁର୍ନେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀନିବାସରେ ଝାଡ଼ା-ବାନ୍ତିରେ ୩୦ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଘଟଣା ପରେ ସମସ୍ତଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ, ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କ ମଧ୍ୟରୁ ଏକାସାଙ୍ଗରେ ୩୦ ଜଣଙ୍କଠାରେ ଝାଡ଼ା ଓ ବାନ୍ତିର ଲକ୍ଷଣ ଦେଖାଦେଇଥିଲା।

ଘଟଣା ଜାଣିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଚିକିତ୍ସା ବ୍ୟବସ୍ଥା କରିଥିଲେ।ଝାଡ଼ା-ବାନ୍ତିର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ, ଦୂଷିତ ଟ୍ୟାପ୍ ପାଣି ପିଇବା ଯୋଗୁଁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘଟଣାର କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି।

ଗୋଷ୍ଠୀ ଶିକ୍ଷା ଅଧିକାରୀ (BEO)ଙ୍କ ସୂଚନା ଅନୁଯାୟୀ, ଚିକିତ୍ସା ପରେ ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ଏବଂ ସେମାନେ ବିପଦମୁକ୍ତ ଅଛନ୍ତି।ଘଟଣାର ଖବର ପାଇ ରାଇରଙ୍ଗପୁର ଉପଜିଲ୍ଲାପାଳ, ବିଜାତଳା ବ୍ଲକ ବିଡିଓ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ହସ୍ପିଟାଲରେ ପହଞ୍ଚି ଅସୁସ୍ଥ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଥିଲେ।

ad-week
Leave A Reply

Your email address will not be published.