
ନୟାଗଡ଼ : ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମର୍ଥନ ଜଣାଇବା ପରେ ବିଜେପି ସାଂସଦ ଭର୍ତ୍ତୃହରି ମହତାବ ଦେଇଥିବା ପ୍ରତିକ୍ରିୟାକୁ ନେଇ କଡ଼ା କାଉଣ୍ଟର କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ନୟାଗଡ଼ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, “ଦଳ ବଦଳାଇ ଦେଲେ ଇତିହାସ ବଦଳି ଯାଏନାହିଁ ।”
ଡ. ସାହୁ ପ୍ରଶ୍ନ କରିଛନ୍ତି ଯେ, ନିଜ ଅଧିକାର ଓ ନ୍ୟାୟ ପାଇଁ ଲଢ଼ୁଥିବା ଛାତ୍ର ସମାଜର ଭବିଷ୍ୟତ ସୁରକ୍ଷା ପାଇଁ ସ୍ୱର ଉଠାଇବା କ’ଣ ଅପରାଧ? ଛାତ୍ରମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ସେମାନଙ୍କୁ ଲହୁଲୁହାଣ କରିବା କେଉଁ ସୁସ୍ଥ ଗଣତନ୍ତ୍ରର ପରିଚୟ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
ନବୀନ ପଟ୍ଟନାୟକ ଛାତ୍ରମାନଙ୍କ ସମର୍ଥନରେ ମତାମତ ରଖିବା ପରେ ଭାରତୀୟ ଜନତା ପାର୍ଟି ଏବଂ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ ୧୨ ଜଣ ବିଜେପି ଏମ୍ପି କାହିଁକି ଏତେ ଭୟଭୀତ ଓ ବିଚଳିତ ହୋଇପଡ଼ୁଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି ।
ଭର୍ତ୍ତୃହରି ମହତାବଙ୍କ ଅତୀତକୁ ମନେ ପକାଇ ଦେଇ ଡ. ସାହୁ କହିଛନ୍ତି : ସାଂସଦ ମହତାବ ବିଜୁ ଜନତା ଦଳରେ ଥାଇ ୬ ଥର ଏମ୍ପି ହୋଇଥିଲେ ଏବଂ ଦୀର୍ଘ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କାର୍ଯ୍ୟ କରିଛନ୍ତି । ଏବେ ମନ୍ତ୍ରୀ ପଦ ଲାଳସା କିମ୍ବା ଦଳୀୟ ଚାପରେ ଆସି ନବୀନ ବାବୁଙ୍କ ବିରୋଧରେ କହିବା ହାସ୍ୟାସ୍ପଦ । ସେ କହିଛନ୍ତି ଯେ କେନ୍ଦ୍ରର ବିଜେପି ସରକାର ଏବେ ‘ପେପର ଲିକ୍’ ସରକାରରେ ପରିଣତ ହୋଇଛି । ଯଦି ଭର୍ତ୍ତୃହରି ବାବୁଙ୍କର ସାହସ ଓ ମୁକ୍ତ ବିଚାରଧାରା ଅଛି, ତେବେ ସେ ଦଳ ଭିତରେ କିମ୍ବା ବାହାରେ ଏହି ପେପର ଲିକ୍ ଏବଂ ଓଡ଼ିଶାରେ ୧ମ ରୁ ୮ମ ଶ୍ରେଣୀ ପାଠ୍ୟପୁସ୍ତକରେ ବାହାରିଥିବା ଅଢ଼େଇ ହଜାର ଭୁଲ୍ ବିଷୟରେ ସ୍ୱର ଉଠାନ୍ତୁ । ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ନୈତିକତା ରଖି ଅନେକ ମନ୍ତ୍ରୀ ଇସ୍ତଫା ଦେବାର ଭାରତବର୍ଷରେ ଅଦ୍ୱିତୀୟ ରେକର୍ଡ ରହିଛି, ମାତ୍ର ବିଜେପି ସରକାରରେ ଇସ୍ତଫାର ନାଁ ଗନ୍ଧ ନାହିଁ ।
ସାମ୍ବାଦିକ ସମ୍ମିଳନୀ ଶେଷରେ ଡ. ସାହୁ କହିଛନ୍ତି ଯେ ଆନ୍ଦୋଳନକାରୀଙ୍କୁ ଦେଶଦ୍ରୋହୀ ଆଖ୍ୟା ଦେବା ପୂର୍ବରୁ ବିଜେପି ନିଜ ଆଡ଼କୁ ଚାହିଁବା ଦରକାର । ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ପ୍ରତ୍ୟେକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆନ୍ଦୋଳନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଦଳ ବଦଳାଇ ଅତୀତର ଇତିହାସକୁ ଭୁଲିଯିବା ଏବଂ ଗଣତାନ୍ତ୍ରିକ ପ୍ରତିବାଦକୁ ନିନ୍ଦା କରିବା ଆଦୌ ଗ୍ରହଣୀୟ ନୁହେଁ ।
