
ନୂଆଦିଲ୍ଲୀ : ୨୬ ଦିନର ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ । ଅହିଂସାର ପଥରେ ଆନ୍ଦୋଳନ ଜାରି ରଖିବାକୁ ଦେଲେ ଆହ୍ୱାନ । ୨୬ ଦିନ ଧରି ଚାଲିଥିବା ଅନିର୍ଦ୍ଦିଷ୍ଟକାଳୀନ ଅନଶନକୁ ଶେଷ କରିଛନ୍ତି ପ୍ରଖ୍ୟାତ ଶିକ୍ଷାବିତ୍ ଓ ପରିବେଶ କର୍ମୀ ସୋନମ ୱାଙ୍ଗଚୁକ । ଗତକାଲି ବିଳମ୍ବିତ ରାତିରେ ସେ ଅନଶନ ଭାଙ୍ଗିଥିବାବେଳେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଓ ଡ଼. ଜିତେନ୍ଦ୍ର ସିଂହଙ୍କ ସହ ହୋଇଥିବା ଦୀର୍ଘ ଆଲୋଚନା ଏବଂ ବିଭିନ୍ନ ଦଳର ପ୍ରାୟ ୬୫ ଜଣ ସାଂସଦଙ୍କ ଅନୁରୋଧ ଏହି ନିଷ୍ପତ୍ତିର ପ୍ରମୁଖ କାରଣ ବୋଲି ସେ କହିଛନ୍ତି ।
ୱାଙ୍ଗଚୁକ କହିଛନ୍ତି, ଦେଶରେ କୌଣସି ପ୍ରକାର ହିଂସା ନ ଘଟୁ ବୋଲି ସେ ଅନଶନ ଶେଷ କରିବାକୁ ରାଜି ହୋଇଛନ୍ତି । ଆନ୍ଦୋଳନକାରୀଙ୍କୁ ସେ ଅହିଂସାର ପଥରେ ରହିବା ସହ କାହା କଥାରେ ନମାତିବାକୁ ଆହ୍ୱାନ ଦେଇଛନ୍ତି । ଆଲୋଚନାରେ କେଉଁ ସର୍ତ୍ତରେ ସହମତି ହୋଇଛି, ସେ ସମ୍ପର୍କରେ ଶୀଘ୍ର ଏକ ପୃଥକ ଭିଡିଓ ଜାରି କରିବେ ବୋଲି ଜଣାଇଛନ୍ତି । ଶାନ୍ତିପୂର୍ଣ୍ଣ ଛାତ୍ର ଆନ୍ଦୋଳନକାରୀଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନ ନେବା, ପ୍ରଭାବିତ ପରିବାରଙ୍କୁ କ୍ଷତିପୂରଣ ବିଚାର କରିବା ଏବଂ ପରୀକ୍ଷା ବ୍ୟବସ୍ଥାର ସଂସ୍କାର ନେଇ ସଂସଦରେ ଆଲୋଚନା କରିବା ଭଳି ବିଷୟରେ ଦୁଇ କେନ୍ଦ୍ରମନ୍ତ୍ରୀ ସୋନମ ୱାଙ୍ଗଚୁକ୍ ଙ୍କୁ ଆଶ୍ୱାସନା ଦେଇଥିଲେ । ତେବେ କକରୋଚ୍ ଜନତା ପାର୍ଟି ସୋନମ ୱାଙ୍ଗଚୁକଙ୍କ ଅନଶନ ଶେଷକୁ ସ୍ୱାଗତ କରିଥିଲେ ମଧ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସ୍ପଷ୍ଟ କରିଛି । ଜୁନ୍ ୨୮ରୁ ଆରମ୍ଭ ହୋଇଥିବା ଏହି ଅନଶନରେ ୱାଙ୍ଗଚୁକ କେବଳ ପାଣି ଓ ଲୁଣ ଗ୍ରହଣ କରୁଥିଲେ । ଦିଲ୍ଲୀର ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ସେ ଏହି ପଦକ୍ଷେପ ନେଇଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଅବନତି ହେବା ପରେ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରୁ ମଧ୍ୟ ସେ ଅନଶନ ଜାରି ରଖିଥିଲେ ।
