ରାଜ୍ୟ ବାହାରକୁ ଗଲେ ୨୧ ଦିନ ପୂର୍ବରୁ ଅନୁମତି ନେବେ ସରକାରୀ ବାବୁ

add-all

ଭୁବନେଶ୍ୱର:ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଯାତ୍ରା ନିୟମକୁ ନେଇ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଏଣିକି ରାଜ୍ୟ ବାହାରକୁ କିମ୍ବା ବିଦେଶ ଗସ୍ତରେ ଯିବାକୁ ହେଲେ ଅତି କମରେ ୨୧ ଦିନ ପୂର୍ବରୁ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମତି ନେବା ବାଧ୍ୟତାମୂଳକ ହେବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ବିଜ୍ଞପ୍ତି ଅନୁଯାୟୀ, କେବଳ ରାଜ୍ୟ ବା ବିଦେଶ ଗସ୍ତ ନୁହେଁ, ସଦର ମହକୁମା କିମ୍ବା ହେଡ୍‌କ୍ୱାର୍ଟର୍ସ ଛାଡ଼ି ଅନ୍ୟତ୍ର ଯିବା ପାଇଁ ମଧ୍ୟ ପୂର୍ବାନୁମତି ନେବାକୁ ପଡ଼ିବ। ସମ୍ପୃକ୍ତ ଅଧିକାରୀ କିମ୍ବା କର୍ମଚାରୀ ଅନୁମତି ମିଳିବା ପରେ ହିଁ ମୁଖ୍ୟାଳୟ ଛାଡ଼ିପାରିବେ।ତେବେ ଜରୁରୀ କିମ୍ବା ଅପ୍ରତ୍ୟାଶିତ ପରିସ୍ଥିତିରେ ୨୧ ଦିନର ସମୟସୀମାରୁ ବ୍ୟତିକ୍ରମ କରାଯାଇପାରିବ। ସେପରି କ୍ଷେତ୍ରରେ ଯଥାର୍ଥ କାରଣ ଦର୍ଶାଇ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମତି ନେବାକୁ ହେବ।

ସରକାରଙ୍କ ନଜରକୁ ଆସିଥିଲା ଯେ, ଅନେକ ଅଧିକାରୀ ଓ କର୍ମଚାରୀ ଅନୁମତି ନ ନେଇ ରାଜ୍ୟ ବାହାରକୁ କିମ୍ବା ମୁଖ୍ୟାଳୟ ଛାଡ଼ି ଯାତ୍ରା କରୁଛନ୍ତି। ଫଳରେ ପ୍ରଶାସନିକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ ଏହି ନୂଆ କଟକଣା ଲାଗୁ କରାଯାଇଛି।ସରକାରୀ କାର୍ଯ୍ୟରେ ଶୃଙ୍ଖଳା ବଜାୟ ରଖିବା ଏବଂ ଦାୟିତ୍ୱ ପାଳନରେ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ ଏହି ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ad-week
Leave A Reply

Your email address will not be published.