
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ (ଏନଏସଜି)ର ପ୍ରଥମ ମୁଖ୍ୟ ଆର.ଟି.ନାଗରାନୀ ଯିଏ ୧୯୮୬ ଅମୃତସର ସ୍ୱର୍ଣ୍ଣମନ୍ଦିରରୁ ସଶସ୍ତ୍ର ଆତଙ୍କବାଦୀଙ୍କୁ ବାହାର କରିବା ପାଇଁ ଅପରେସନ ବ୍ଲାକ୍ ଥଣ୍ଡର-୧ର ନେତୃତ୍ୱ ନେଇଥିଲେ ତାଙ୍କର ରବିବାର ପରଲୋକ ହୋଇଛି। ସେ ୯୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଧିକାରୀଙ୍କ ଅନୁସାରେ ଏନଏସଜିର ପ୍ରଥମ ମହାନିର୍ଦ୍ଦେଶକଙ୍କ ସ୍ୱାସ୍ଥ୍ୟ ଠିକ୍ ନଥିଲା ଓ ଦକ୍ଷିଣ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଅନ୍ତିମ ସଂସ୍କାର ମଙ୍ଗଳବାର ଅନୁଷ୍ଠିତ ହେବ।
ନାଗରାନୀ ଆନ୍ଧ୍ରପ୍ରଦେଶ କ୍ୟାଡରର ଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ ଥିଲେ। ୧୯୫୧ ବ୍ୟାଚ୍ ର ଏହି ଅଧିକାରୀ ୧୭ ଅଗଷ୍ଟ ୧୯୮୪ରୁ ୨୫ ସେପ୍ଟେମ୍ବର ୧୯୮୬ ପର୍ଯ୍ୟନ୍ତ ‘ବ୍ଲାକ୍ କ୍ୟାଟ୍’ କମାଣ୍ଡ ଫୋର୍ସର ନେତୃତ୍ୱ ନେଇଥିଲେ। ୧୯୮୪ ମସିହାରେ ଆତଙ୍କବାଦ ବିରୋଧୀ, ବିମାନ ଅପହରଣ ବିରୋଧୀ ଓ ବନ୍ଧକ ଉଦ୍ଧାର କାର୍ଯ୍ୟ ପାଇଁ ଏନଏସଜିର ଗଠନ ହୋଇଥିଲା। ନାଗରାନୀଙ୍କୁ ଏହାର ପ୍ରଥମ ମୁଖ୍ୟ ନିଯୁକ୍ତ କରାଯାଇଥିଲା। ଏନଏସଜିର ୨୫ତମ ମୁଖ୍ୟ ଡି.ଜି.ବିଧ୍ରୁ ଶ୍ରୀନିବାସନ ନାଗରାନୀଙ୍କ ବିୟୋଗରେ ଶୋକ ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ନାଗରାନୀ ଏକ ଏପରି ସଙ୍ଗଠନ ନିର୍ମାଣ କରିଛନ୍ତି ଯାହା ବିଶ୍ୱରେ ଅଦ୍ୱିତୀୟ।
ଅଧିକାରୀକ ରେକର୍ଡ ଅନୁସାରେ ଅପରେସନ ବ୍ଲାକ୍ ଥଣ୍ଡର-୧ ଅମୃତସର ସ୍ୱର୍ଣ୍ଣମନ୍ଦିର ପରିସରରେ ୩୦ ଏପ୍ରିଲ ୧୯୮୬ ରାତିରେ ଆରମ୍ଭ ହୋଇ ତା ପରଦିନ ଭୋର ପର୍ଯ୍ୟନ୍ତ ଚାଲିଥିଲା। ପୁରା ଅଭିଯାନ କାଳରେ ଏନଏସଜି ଗାର୍ଡ ମାନେ ଖାଲିପାଦରେ ଥିଲେ ଓ ମୁଣ୍ଡ ଢାଙ୍କି ରଖିଥିଲେ ଓ ସ୍ୱର୍ଣ୍ଣମନ୍ଦିରର ପବିତ୍ରତା ରକ୍ଷା ଲାଗି କାହାରିକୁ ମନ୍ଦିର ଭିତରକୁ ପ୍ରବେଶ କରାଇ ଦେଇନଥିଲେ। ଏହି ଅପରେସନ କାଳରେ କୌଣସି ଅପ୍ରତ୍ୟକ୍ଷ କ୍ଷତି ହୋଇନଥିଲା। ନ୍ୟାସନାଲ ସିକ୍ୟୁରିଟି ଗାର୍ଡମାନେ ୧୨୨ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲେ। ରେକର୍ଡରେ ଏହା ପୁଷ୍ଟି ରହିଛି।
ଏନଏସଜି ନିଜର ପ୍ରଥମ ମୁଖ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଜଣେ ଦୂରଦର୍ଶି ଅଧିକାରୀ, ସଂସ୍ଥା ନିର୍ମାତା, ଶ୍ରୀ ନାଗରାନୀ ଅତୁଟ ସମର୍ପଣ ସହିତ ଏନଏସଜିର ମୂଳଦୁଆ ପକାଇଥିଲେ। ଫୋର୍ସଙ୍କୁ ଭାରତର ନୋଡାଲ ଆତଙ୍କବାଦ ନିରୋଧୀ ଫୋର୍ସରେ ପରିବର୍ତ୍ତିତ କରିଥିଲେ, ଯାହା ନିଜର ସଠିକତା, ସାହସ ଓ ଉତ୍କୃଷ୍ଟତା ଲାଗି ପ୍ରସିଦ୍ଧ। ନାଗରାନୀ ୧୯୮୭ ମସିହାରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ ଓ ତାଙ୍କର ୩ ଜଣ ପୁଅ ଅଛନ୍ତି।
