
ନୂଆଦିଲ୍ଲୀ: ଆମେରିକାର ସିଆଟଲ ସହରରେ ଚାଲିଥିବା ଏକ ଫୁଡ୍ ଫେଷ୍ଟିଭାଲରେ ଗୁଳିକାଣ୍ଡ ଘଟିଛି । ଏହି ଘଟଣାରେ ଅତି କମରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି ।ଆମେରିକାର ସିଆଟଲ ସହରରେ ଚାଲିଥିବା ଏକ ଫୁଡ୍ ଫେଷ୍ଟିଭାଲରେ ଗୁଳିକାଣ୍ଡ ଘଟିଛି । ଏହି ଘଟଣାରେ ଅତି କମରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଘଟଣାଟି ସହରର ପ୍ରସିଦ୍ଧ ସ୍ପେସ୍ ନିଡଲ୍ ନିକଟରେ ଘଟିଛି । ଏହି ଗୁଳିକାଣ୍ଡରେ କାହାକୁ ଗିରଫ କରାଯାଇଛି କି ନାହିଁ, ସେନେଇ ପୋଲିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ ।
ସିଆଟଲ ପୋଲିସ ସୋସିଆଲ ମିଡିଆରେ କହିଛି ଯେ, ଘଟଣାର ତଦନ୍ତ ଚାଲିଛି । ଅନେକ ଲୋକ ଗୁଳିରେ ଆହତ ହୋଇଛନ୍ତି । ସାଧାରଣ ଲୋକଙ୍କୁ ଘଟଣାସ୍ଥଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୬ଟାରେ ସିଆଟଲ ସେଣ୍ଟରରେ ଚାଲିଥିବା ବାଇଟ୍ ଅଫ୍ ସିଆଟଲ ଫୁଡ୍ ଫେଷ୍ଟିଭାଲ ସମୟରେ ହଠାତ୍ ଗୁଳି ଫୁଟିଥିଲା । ଆହତମାନଙ୍କୁ ତୁରନ୍ତ ହାର୍ବରଭ୍ୟୁ ମେଡିକାଲ ସେଣ୍ଟରକୁ ଚିକିତ୍ସା ପାଇଁ ପଠାଯାଇଛି ।
ଏହି ଫେଷ୍ଟିଭାଲରେ ଶହ ଶହ ସ୍ଥାନୀୟ ଖାଦ୍ୟ ଦୋକାନ ଏବଂ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିଲା । ସେହି ସମୟରେ ଗୁଳିକାଣ୍ଡ ଘଟିବାରୁ ଲୋକମାନଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା । ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଗୁଳିର ଶବ୍ଦ ଶୁଣିବା ପରେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଏପଟ ସେପଟ ଦୌଡ଼ୁଥିବା ଦେଖିବାକୁ ମିଳିଛି । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ପୂର୍ବରୁ ହିଁ ଫେଷ୍ଟିଭାଲରେ ବହୁତ ଭିଡ଼ ଥିଲା । ଗୁଳି ଚାଲିବା ପରେ ଲୋକମାନେ ଦୌଡ଼ିବା ଆରମ୍ଭ କରିଥିଲେ ଏବଂ ଅନେକ ଲୋକ ପରସ୍ପର ଉପରେ ପଡ଼ିଯାଇଥିଲେ ।
