
ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ପୁଣି ଥରେ ଆନ୍ଦୋଳନ କରାଯିବା ନେଇ କେନ୍ଦ୍ର ସରକାରଙ୍କୁ ଧମକ ଦିଆଯାଇଛି। ସିଜେପି ଏହାର ୩୬ଦିନିଆ ଆନ୍ଦୋଳନ ପ୍ରତ୍ୟାହାର ପୂର୍ବରୁ ସରକାରଙ୍କ ସହିତ ତିନିଟି ପ୍ରସଙ୍ଗରେ ଚୁକ୍ତି କରିଥିଲା। ତେବେ ସରକାର ଏବେ ଏହି ଚୁକ୍ତି ଭଙ୍ଗ କରୁଥିବା ସିିଜେପି ନେତାମାନେ ଅଭିଯୋଗ କରିଛନ୍ତି। ସିଜେପି ନେତା ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ କହିବା ଅନୁଯାୟୀ ଆନ୍ଦୋଳନକାରୀ ଛାତ୍ରଙ୍କ ଉପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ। ଆଉ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ ନକରିବା ପାଇଁ ସରକାର ଚୁକ୍ତି ସମୟରେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବିହାର, ଆସାମ, ପଶ୍ଚିମବଙ୍ଗ ଓ ଦିଲ୍ଲୀରେ ପୁଲିସ ବହୁ ସଂଖ୍ୟାରେ ଛାତ୍ର ଓ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରି ହଇରାଣ କରୁଛି। ଯଦି ଗିରଫ ହୋଇଥିବା ଛାତ୍ରଙ୍କୁ ତୁରନ୍ତ ଖଲାସ ନକରାଯାଏ ଓ ସମସ୍ତ ମାମଲା ପ୍ରତ୍ୟାହାର ନକରାଯାଏ ତେବେ ସିଜେପି ପୁଣିଥରେ ଦେଶବ୍ୟାପୀ ଧରଣାରେ ବସିବ ବୋଲି ସ୍ପଷ୍ଟ କରିଛି। ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କ ସହ ଆଲୋଚନା କରି ସିଜେପି ଏକ ସ୍ୱତନ୍ତ୍ର ଆଇନଗତ ଟିମ୍ ଗଠନ କରିଛି, ଯାହା ଗିରଫ ହୋଇଥିବା ଛାତ୍ରମାନଙ୍କୁ ସହାୟତା ଯୋଗାଇଦେବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଓ ଅନ୍ୟାନ୍ୟ ଦାବି ପୂରଣ ହେବା ପରେ ସିଜେପି ନିଜର ଆନ୍ଦୋଳନ ପ୍ରତ୍ୟାହାର କରିଥିଲା।
ଜୁଲାଇ ୨୦ ଓ ୨୫ରେ ସିଜେପିର ଆନ୍ଦୋଳନ ଡାକରାକୁ ନେଇ ବିହାରରେ ହୋଇଥିବା ବିକ୍ଷୋଭବେଳେ ପୁଲିସ କାର୍ଯ୍ୟାନୁଷ୍ଠାନ ଚଳାଇଛି। ପୁଲିସ କାର୍ଯ୍ୟାନୁଷ୍ଠାନରେ ୨୦୦ ଜଣଙ୍କୁ ଗିରଫ କରିସାରିଲାଣି। ଏହିସବୁ ବିକ୍ଷୋଭକାରୀଙ୍କ ତୁରନ୍ତ ମୁକ୍ତି ଦାବି କରିଛି ସିଜେପି।
ଆନ୍ଦୋଳନକାରୀ ଛାତ୍ରଙ୍କୁ ଆଇନଗତ ସହାୟତା ଯୋଗାଇଦେବା ପାଇଁ ସିଜେପି ଏକ ନୂତନ ୱେବସାଇଟ୍ ଆରମ୍ଭ କରିବାକୁ ଘୋଷଣା କରିଛି। ଏହି ୱେବସାଇଟ୍ ମାଧ୍ୟମରେ ଦେଶବ୍ୟାପୀ ଆନ୍ଦୋଳନକାରୀଙ୍କୁ ଓକିଲମାନଙ୍କ ସହ ଯୋଡ଼ାଯିବ ଓ ସେମାନଙ୍କ ବିରୋଧରେ ହୋଇଥିବା ମାମଲା ଉପରେ ନଜର ରଖାଯିବ। ଏହି କାର୍ଯ୍ୟକ୍ରମକୁ ସହାୟତା ପାଇଁ କପିଲ ସିବଲ ୧ କୋଟି ଟଙ୍କାର ଆଇନଗତ ପାଣ୍ଠି ଘୋଷଣା କରିଛନ୍ତି। ସିବଲ ନିଜ ଆଡ଼ୁ ୧ କୋଟି ଟଙ୍କା ସହାୟତା ଦେବା ସହ ଦେଶର ଅନ୍ୟ ଆଇନଜୀବୀମାନଙ୍କୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀ ଛାତ୍ରଙ୍କ ପାଇଁ ଆଇନଗତ ଲଢ଼େଇରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ସିଜେପି ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ଏହି ପ୍ଲାଟଫର୍ମରେ ଦେଶର ଯେକୌଣସି ସ୍ଥାନର ଓକିଲ ନିଜର ନାମ ପଞ୍ଜୀକରଣ କରି ଗିରଫ କିମ୍ବା ହଇରାଣ ହେଉଥିବା ଛାତ୍ରମାନଙ୍କୁ ଆଇନଗତ ସାହାଯ୍ୟ ଯୋଗାଇପାରିବେ। ସିଜେପି ପକ୍ଷରୁ ‘ସାକ୍ଷୀ’ ନାମକ ଏକ ୱେବସାଇଟ୍/ଆପ୍ ମଧ୍ୟ ଜାରି କରାଯାଇଛି ଯେଉଁଥିରେ ଆନ୍ଦୋଳନ ସମୟର ଫୋଟୋ ଓ ଭିଡିଓ ପ୍ରମାଣଗୁଡ଼ିକୁ ସୁରକ୍ଷିତ ରଖାଯାଇ କୋର୍ଟରେ ଆଇନଗତ ପ୍ରମାଣ ଭାବେ ବ୍ୟବହାର କରାଯାଇପାରିବ।
