
କୋରାପୁଟ : ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ନିର୍ବାଚନ ପର୍ଯ୍ୟବେକ୍ଷକ ତଥା ଲୋକ ଉଦ୍ୟୋଗ ବିଭାଗର ସହକାରୀ କମିଶନର-ତଥା-ସଚିବ, ମହେନ୍ଦ୍ର ସାଦିକ ଆଲାମ (ଆଇ.ଏ.ଏସ୍.) ଦୁଇଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି। ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅନ୍ତର୍ଗତ ନିର୍ବାଚନ ତାଲିକାର ଦାବି ଓ ଆପତ୍ତି ଆବେଦନଗୁଡ଼ିକର ନିଷ୍ପତ୍ତି ପ୍ରକ୍ରିୟା ଅନୁଧ୍ୟାନ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।
ଏହି ସଂଶୋଧନ ପ୍ରକ୍ରିୟାରେ ନିର୍ବାଚନ ନାମାବଳୀ ସମ୍ପର୍କିତ ଦାବି ଓ ଆପତ୍ତି ଆବେଦନଗୁଡ଼ିକର ଶୁଣାଣିର ତଦାରଖ ପାଇଁ ସେ କୋରାପୁଟ ପୌରପାଳିକା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ କୋରାପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO)ଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ।
ପରବର୍ତ୍ତୀ ସମୟରେ ପୂର୍ବାହ୍ନ ୧୧ଟାରେ କୋରାପୁଟସ୍ଥିତ ଡି.ଏନ୍.କେ. ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO), ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO) ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଦାବି ଓ ଆପତ୍ତି ଆବେଦନର ନିଷ୍ପତ୍ତି ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ପର୍ଯ୍ୟବେକ୍ଷକ ଶ୍ରୀ ଆଲାମ ଶୁଣାଣି ପ୍ରକ୍ରିୟାକୁ ସ୍ୱଚ୍ଛତା, ନିରପେକ୍ଷତା ଏବଂ ସମୟବଦ୍ଧତାର ସହିତ ସମ୍ପନ୍ନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସମସ୍ତ ପ୍ରକ୍ରିୟାରେ ସୂଚନାର ସ୍ୱଚ୍ଛତା ବଜାୟ ରଖିବା ଏବଂ ସମସ୍ତ ରାଜନୈତିକ ଦଳର ସହଯୋଗ ନେଇ ନିର୍ବାଚନ ପ୍ରକ୍ରିୟାକୁ ସୁପରିଚାଳିତ କରିବାକୁ ସେ ପରାମର୍ଶ ଦେଇଛନ୍ତି।
