
ଭୁବନେଶ୍ୱର : ବନ୍ୟା କ୍ଷୟକ୍ଷତି ନେଇ ରାଜସ୍ବ ବିଭାଗର ସମୀକ୍ଷା । ୫ ଜିଲ୍ଲାରେ ୬ ଲକ୍ଷ ଲୋକ ପ୍ରଭାବିତ । ଯାଜପୁର, ଭଦ୍ରକ ଏବଂ ବାଲେଶ୍ବରରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ମୟୂରଭଞ୍ଜ ଓ କେନ୍ଦୁଝରରେ ବି ଲୋକ ବି ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ । ୪୬୪ଟି ରିଲିଫ କ୍ୟାମ୍ପରେ ସମସ୍ତ ବ୍ୟବସ୍ଥା କରାଯାଇଛି । ପାଣି ଘେରରେ ରହିଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଛି ବୋଲି କହିଛି ରାଜସ୍ବ ବିଭାଗ ।
ଅନ୍ୟପଟେ ବନ୍ୟା ପାଣି କମିଲେ ୩ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲାପାଳଙ୍କୁ ଦେଲା ରାଜସ୍ୱ ବିଭାଗ । କେତେ ଚାଷ ଜମି ନଷ୍ଟ ହୋଇଛି , କେତେ ଘର ଭାଙ୍ଗିଛି ତାର ରିପୋର୍ଟ ଦେବାକୁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ ପାଢୀଙ୍କ ନିର୍ଦ୍ଦେଶ । କିଛି ସମୟ ମଧ୍ୟରେ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଅରବିନ୍ଦ ପାଢ଼ୀ, ସ୍ଵତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ଭଦ୍ରକ,ବାଲେଶ୍ୱର ଓ ଯାଜପୁର ପରିଦର୍ଶନ କରି ସ୍ଥିତି ଦେଖିବେ।
ସେପଟେ ଆଗାମୀ ତିନି ଦିନ ବର୍ଷା ନାହିଁ । ୨ ତାରିଖ ପରେ ପୁନର୍ବାର ବର୍ଷା ଆକଳନ କରାଯାଉଛି। ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ନହେବା ଆଶ୍ୱସ୍ତିକର ଖବର ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବର୍ତ୍ତମାନ ହୀରାକୁଦରେ ୬୨୦ ଫୁଟ ଜଳସ୍ତର ରହିଛି। ୨ଟି ଗେଟ ଖୋଲା ଅଛି। ମୁଣ୍ଡଳୀରେ ସାଢେ଼ ୬ ଲକ୍ଷ କ୍ୟୁସେକ ଜଳ ପହଁଚୁଥିଲା। ରାତିସୁଦ୍ଧା ନରାଜରେ ୯ ଲକ୍ଷ କ୍ୟୁସେକ ଜଳ ପହଞ୍ଚିବ। କଟକର ବଡ଼ମ୍ବା, ଆଠଗଡ ତଳିଆ ଅଞ୍ଚଳରେ ଜଳ ପହଞ୍ଚିଲାଣି । ସେଣ୍ଟ୍ରାଲ୍ ୱାଟର କମିଶନ୍ ପାଖରୁ ରିପୋର୍ଟ ଅନୁସାରେ ମୁଣ୍ଡଳୀରେ ଜଳସ୍ତର ୱର୍ଣୀ ଲେବୁଲ୍ ଉପରେ ଅଛି କିନ୍ତୁ ବିପଦ ସଙ୍କେତ ଟପିନି। ବର୍ତ୍ତମାନ ବିଭିନ୍ନ ନଦୀରେ ଜଳସ୍ତର କମିବା ଆରମ୍ଭ କଲାଣି ।
