ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ, ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା

add-all

ଭୁବନେଶ୍ୱର : ଦୀପାବଳି ପୂର୍ବରୁ ମହାନଦୀ ଜଳ ବିବାଦର ସମାଧାନ। ପ୍ରାୟ ଦଶ ବର୍ଷ ପରେ ମହାନଦୀ ଜଳ ବଣ୍ଟନ ବିବାଦର ସମାଧାନ ଦିଗରେ ପୁଣି ଥରେ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

ମହାନଦୀ ପ୍ରସଙ୍ଗରେ ଓଡ଼ିଶା ନିଜର ଅଧିକାରରକୁ ଦୃଢ଼ତାର ସହ ଉପସ୍ଥାପନ କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ରାଜ୍ୟର ଜଳ ଅଧିକାର, ଚାଷୀଙ୍କ ସ୍ୱାର୍ଥ ଓ ଦୀର୍ଘ ମିଆଦି ଜଳ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଥିବା ସେ କହିଛନ୍ତି। ଦୁଇ ରାଜ୍ୟ ମଧ୍ୟରେ ସକାରାତ୍ମକ ଓ ସହଯୋଗପୂର୍ଣ୍ଣ ପରିବେଶରେ ଆଲୋଚନା ହୋଇଛି।

ମହାନଦୀ ଜଳ ବଣ୍ଟନ, ପରିଚାଳନା ଓ ସଂରକ୍ଷଣ ପ୍ରସଙ୍ଗରେ ସ୍ଥାୟୀ ଏବଂ ସର୍ବସମ୍ମତ ସମାଧାନ ଖୋଜିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଆସନ୍ତା ତିନି ମାସ ଧରି କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ, କେନ୍ଦ୍ରୀୟ ଜଳ ଆୟୋଗ, ଓଡ଼ିଶା ଓ ଛତିଶଗଡ଼ର ଅଧିକାରୀମାନେ ପର୍ଯ୍ୟାୟକ୍ରମେ ଆଲୋଚନା ଜାରି ରଖିବେ।

ଜଳ ବଣ୍ଟନ, ପରିଚାଳନା ଓ ସଂରକ୍ଷଣକୁ ନେଇ ଏକ ସହମତିଭିତ୍ତିକ ସମାଧାନରେ ପହଞ୍ଚିବା ପାଇଁ ଏହି ପ୍ରକ୍ରିୟା ଚାଲିବ। ଛତିଶଗଡ଼ ସରକାରଙ୍କ ସହଯୋଗରେ ଦୀପାବଳି ପୂର୍ବରୁ ମହାନଦୀ ବିବାଦର ସମାଧାନ ଦିଗରେ ଠୋସ ଫଳାଫଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଶା ପ୍ରକାଶ କରିଛନ୍ତି। କେନ୍ଦ୍ର, ଓଡ଼ିଶା ଓ ଛତିଶଗଡ଼ର ‘ଟ୍ରିପଲ୍ ଇଞ୍ଜିନ୍’ ସରକାରଙ୍କ ସମନ୍ୱୟ ଆଲୋଚନା ମାଧ୍ୟମରେ ଏହି ଦୀର୍ଘଦିନର ବିବାଦର ସମାଧାନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥିବା ସେ କହିଛନ୍ତି।

ad-week
Leave A Reply

Your email address will not be published.