
ଭୁବନେଶ୍ବର : ଓଡ଼ିଶାରେ ମହାମହିମ ଦ୍ରୌପଦୀ ମୁର୍ମୁ । କଟକ ବାଆଁରାରେ ଜଗତଗୁରୁ କୃପାଳୁଜୀ ବିଶ୍ୱବିଦ୍ୟାଳୟର କଲେ ଉଦଘାଟନ । ଆସନ୍ତାକାଲି ସକାଳେ ସ୍ବତନ୍ତ୍ର ଟ୍ରେନ ଯୋଗେ କରିବେ ବ୍ରହ୍ମପୁର ଗସ୍ତ । ରାଷ୍ଟ୍ରପତିଙ୍କ ଟ୍ରେନ ବ୍ରହ୍ମପୁର ଷ୍ଟେସନର ୪ ନଂ ପ୍ଲାଟଫର୍ମରେ ଲାଗିବ। ଟ୍ରେନରେ ଯାତ୍ରା ପାଇଁ ରାଷ୍ଟ୍ରପତିଙ୍କ ପାଇଁ ଆମୋଦଦାୟକ ସ୍ୱତନ୍ତ୍ର କୋଚ ରହିଛି। ୧୦ଟି ବିଶିଷ୍ଟ ବିଶିଷ୍ଟ ସ୍ୱତନ୍ତ୍ର ଟ୍ରେନରେ ରାଷ୍ଟ୍ରପତି ବ୍ରହ୍ମପୁର ଯିବେ। ଏହା ପୂର୍ବରୁ ବ୍ରହ୍ମପୁର ରେଳ ଷ୍ଟେସନକୁ ନୂଆ ରୂପରେ ସଜାଯାଇଛି । ପୁରା ଷ୍ଟେସନରେ ହାଇ ଅଲର୍ଟ ଘୋଷଣା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ପୋଲିସ ଏଡିଜି ସଂଜୀବ ପଣ୍ଡାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ଜିଲ୍ଲାପାଳ ପ୍ରମୁଖ ପ୍ଲାଟଫର୍ମ ବୁଲି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ରାଷ୍ଟ୍ରପତିଙ୍କ ଟ୍ରେନ ଯାତ୍ରା ବେଳେ ଟ୍ରେନ ଲାଇନ ଓ ଲେବଲ କ୍ରସିଂରେ ଵି ସୁରକ୍ଷା ବଳ ମୁତୟନ ରହିବେ l ବ୍ରହ୍ମପୁର ରେଳଷ୍ଟେସନରୁ କାରକେଡ ରିହର୍ସାଲ ସହ ମହାମହିମଙ୍କୁ ସ୍ୱାଗତ କରିବା ପାଇଁ ଥିବା ସାଂସ୍କୃତିକ ଦଳ ପକ୍ଷରୁ ଅଭ୍ୟାସ ହୋଇଛି। ବ୍ରହ୍ମପୁରରୁ ରାଷ୍ଟ୍ରପତି ସଡ଼କ ପଥରେ ତପ୍ତପାଣି ଯାଇ ମା କନ୍ଧୁଣି ଦେବୀଙ୍କ ପୂଜା କରିବେ। ଗୋଳନ୍ଥରା ଆର୍ମି ଏୟାର ଡିଫେନସ କଲେଜ ଗେଷ୍ଟ ହାଉସରେ ରାତ୍ରିଯାପନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ SPG, GRP, RPF ସମେତ ୪୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ।
ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଆଜି ଭୁବନେଶ୍ବରରେ ପହଞ୍ଚିଥିଲେ । ବିମାନବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ । ସେଠାରୁ ଲୋକଭବନ ଯାଇ କିଛି ସମୟ ବିଶ୍ରାମ ନେଇଥିଲେ ମହାମହିମ । ପରେ ସଡ଼କ ପଥରେ ରାଷ୍ଟ୍ରପତି କଟକ ବାଆଁରା ଗସ୍ତ କରି ଜଗତଗୁରୁ କୃପାଳୁଜୀ ବିଶ୍ୱବିଦ୍ୟାଳୟର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜଗଦଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କ ଆଧ୍ୟାତ୍ମିକ ଶିକ୍ଷା ଏବଂ ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ଦୂରଦୃଷ୍ଟି ଦ୍ୱାରା ଅନୁପ୍ରାଣିତ ହୋଇ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ଏଠାରେ ପାରମ୍ପରିକ ଗୁରୁକୁଳ ଶିକ୍ଷା ଏବଂ ଆଧୁନିକ, ଶିଳ୍ପ-ଭିତ୍ତିକ ଉଚ୍ଚଶିକ୍ଷା ପ୍ରଦାନ କରାଯାଉଛି । ବିଶ୍ବବିଦ୍ୟାଳୟରେ ଏଆଇ, ଯୋଗ ଏବଂ ମାଇଣ୍ଡ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଯୁବପୀଢିଙ୍କୁ ଲକ୍ଷ୍ୟ ପଥରେ ଆଗେଇବାରେ ସହାୟକ ହେବ ବୋଲି କହିଛନ୍ତି ରାଷ୍ଟ୍ରପତି ।
