
ଗ୍ରୀସ୍ : ଗ୍ରୀସରେ ବନାଗ୍ନୀକୁ ରୋକିବାରେ ନିୟୋଜିତ ହୋଇଥିବା ଦୁଇଟି ହେଲିକପ୍ଟର ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଛି । ଏଥିରେ ହେଲିକପ୍ଟରରେ ଥିବା ପାଇଲଟଙ୍କ ସହ ଅନ୍ୟ କ୍ରିଉ ସଦସ୍ୟ ପ୍ରାଣ ହରାଇଛନ୍ତି । ଏନେଇ ଅଗ୍ନିଶମ ବାହିନୀର ବରିଷ୍ଠ ଅଧିକାରୀ ଭାସିଲ୍ସ୍ ଭାଥରାକୋଜିଆନିସ୍ ସୂଚନା ଦେଇଛନ୍ତି । ରବିବାର ଅପରାହ୍ନରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।
ଗ୍ରୀସର ଏଥେନ୍ସ ନିକଟବର୍ତ୍ତୀ ସାଥା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଏଥିରେ ହେଲିକପ୍ଟରରେ ଥିବା ପାଇଲଟଙ୍କ ସହ ଅନ୍ୟ ସଦସ୍ୟ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଗୋଟିଏ ହେଲିକପ୍ଟର ଅନ୍ୟ ଏକ ହେଲିକପ୍ଟରକୁ ଧକ୍କା ଦେଇ ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳୁଛି । ଧକ୍କା ହେବା ପରେ ସୌଭାଗ୍ୟବଶତଃ ଦ୍ୱିତୀୟ ହେଲିକପ୍ଟରର ସଦସ୍ୟ ବର୍ତ୍ତିଯାଇଛନ୍ତି ।
ଅଘଟଣ ପରେ ଦ୍ୱିତୀୟ ହେଲିକପ୍ଟରର କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣା ପରେ ବନାଗ୍ନୀ ରୋକିବାରେ ବ୍ୟବହାର ହେଉଥିବା ଅନ୍ୟ ସବୁ ହେଲିକପ୍ଟରକୁ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହାସହ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ଦ୍ବିତୀୟ ହେଲିକପ୍ଟରରେ ଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁ ହେଲିକପ୍ଟର ପାଣି ଢାଳିବା ଏବଂ ନିଆଁକୁ ଆୟତ୍ତ କରିବା ପାଇଁ ଉଡ଼ାଣ ଭରିଥିଲା, ସେତେବେଳେ ଦୁର୍ଘଟଣା ହୋଇଥିଲା ।
ପ୍ରଧାନମନ୍ତ୍ରୀ କିରିଆକୋସ୍ ମିଟସୋଟାକିସ୍ କହିଛନ୍ତି ଯେ, ପ୍ରାଣ ହରାଇଥିବା ପ୍ରଥମ ହେଲିକପ୍ଟରର କର୍ମଚାରୀ ଦ୍ୱୟ ଡେନମାର୍କ ଏବଂ ଗ୍ରୀକର ବାସିନ୍ଦା ବୋଲି ଜଣାପଡିଛି ।
