କୁର୍‌କୁରେ ପ୍ୟାକେଟ୍‌​ ଖେଳନା ଗିଳିଦେବାରୁ ଶ୍ବାସରୁଦ୍ଧ ହୋଇ ଚାଲିଗଲା ଶିଶୁର ଜୀବନ

add-all

ମହୀଶୂର : କର୍ଣ୍ଣାଟକର ମହୀଶୂର ଜିଲାରେ ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଦୁଃଖଦ ଘଟଣା ଘଟିଛି। କୁର୍‌କୁରେ ପ୍ୟାକେଟ୍‌ ସହ ମାଗଣାରେ ମିଳିଥିବା ଏକ ଛୋଟ ପ୍ଲାଷ୍ଟିକ୍ ଖେଳନା ବଲ୍ ଗିଳିଦେବାରୁ ଶ୍ବାସରୁଦ୍ଧ ହୋଇ ଏକ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ପୁଲିସ କହିବା ଅନୁଯାୟୀ ଗୌରୀପୁର ଗ୍ରାମର ମୁକୁନ୍ଦ ମୟୂର (୫) ଶନିବାର କୁର୍‌କୁରେ ଖାଉଥିବା ସମୟରେ ପ୍ୟାକେଟ୍ ଭିତରୁ ଏକ ଛୋଟ ପ୍ଲାଷ୍ଟିକ୍ ବଲ୍ ବାହାରିଥିଲା। ବଲ୍‌ଟିକୁ ଧରି ଖେଳୁଥିବା ସମୟରେ ଶିଶୁଟି ଅସାବଧାନତାବଶତଃ ତାକୁ ପାଟିରେ ପୂରାଇ ଦେଇଥିଲା। ବଲ୍‌ଟି ଶିଶୁର ଗଳାରେ ଲାଗି ରହିଯିବାରୁ ଶ୍ୱାସରୁଦ୍ଧ ହୋଇ ଅଚେତ୍ ହୋଇପଡ଼ିଥିଲା। ପରିବାର ଲୋକେ ତୁରନ୍ତ ତାକୁ ଡାକ୍ତରଖାନା ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ପୁଲିସ ଏହି ଘଟଣାରେ ଏକ ଅସ୍ବାଭାବିକ ମୃତ୍ୟୁ (ୟୁଡିଆର) ରୁଜୁ କରିଛି। ମାତ୍ର ପରିବାର ପକ୍ଷରୁ ଏ ସମ୍ପର୍କରେ କୌଣସି ଅଭିଯୋଗ ରୁଜୁ କରାଯାଇ ନାହିଁ। ଛୋଟ ପିଲାଙ୍କ ପାଇଁ ବିକ୍ରି ହେଉଥିବା ଖାଦ୍ୟ ପ୍ୟାକେଟ୍‌ଗୁଡ଼ିକରେ ଏଭଳି ସୂକ୍ଷ୍ମ ଓ ବିପଜ୍ଜନକ ପ୍ଲାଷ୍ଟିକ୍ ଖେଳନା ଦେବା ସମୟରେ ଅଭିଭାବକମାନେ ବିଶେଷ ଧ୍ୟାନ ଦେବା ଉଚିତ୍।

ad-week
Leave A Reply

Your email address will not be published.