
ଭୁବନେଶ୍ୱର: ଜନ୍ମ ସମୟରେ ଶିଶୁ କନ୍ୟା ଏବଂ ପୁତ୍ର ଅନୁପାତ (ସେକ୍ସ ରେସିଓ ଆଟ୍ ବର୍ଥ)ରେ ସୁଧାର ଆଣିବା ପାଇଁ ଓଡ଼ିଶା ସରକାର ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପ୍ରତି ୧୦୦୦ ପୁତ୍ର ସନ୍ତାନ ତୁଳନାରେ କନ୍ୟା ସନ୍ତାନଙ୍କ ସଂଖ୍ୟା କମ୍ ଥିବା ରାଜ୍ୟର ୫ଟି ଜିଲ୍ଲାକୁ ଚିହ୍ନଟ କରାଯାଇଛି ଏବଂ ସେଠାରେ ତଦାରଖ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ସୋମବାର ଦିନ ଭୁବନେଶ୍ୱରଠାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ‘ପିସି-ପିଏନଡିଟି’ (ଗର୍ଭଧାରଣ ପୂର୍ବ ଏବଂ ପ୍ରସବ ପୂର୍ବ ନିଦାନ କୌଶଳ) ଆଇନ ଅଧୀନରେ ଗଠିତ ରାଜ୍ୟ ତଦାରଖ ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ନୟାଗଡ଼, ଅନୁଗୋଳ, ଢେଙ୍କାନାଳ, ଗଞ୍ଜାମ ଏବଂ ଖୋର୍ଦ୍ଧା ଜିଲ୍ଲାରେ କନ୍ୟା ସନ୍ତାନ ଜନ୍ମ ହାର ସବୁଠାରୁ ନୈରାଶ୍ୟଜନକ ରହିଛି। ଏହି ୫ଟି ଜିଲ୍ଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଯଥେଷ୍ଟ କମ୍ ଥିବାବେଳେ ଯାଜପୁର ଜିଲ୍ଲା ଏହି ତାଲିକାରେ ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କରିଛି ବୋଲି ସୂଚନା ଦିଆଯାଇଛି।
ପରିସ୍ଥିତିରେ ସୁଧାର ଆଣିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଛୁଆ ଜିଲ୍ଲାଗୁଡ଼ିକରେ ଥିବା ଅଲଟ୍ରାସାଉଣ୍ଡ କ୍ଲିନିକ୍ଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ଏଥିସହିତ ଜିଲ୍ଲା ସ୍ତରୀୟ କମିଟିଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବା ସହ ଅଲଟ୍ରାସାଉଣ୍ଡ କେନ୍ଦ୍ରର ସମସ୍ତ କାଗଜପତ୍ରର ଶତପ୍ରତିଶତ ଯାଞ୍ଚ କରିବାକୁ ତାଗିଦ୍ କରାଯାଇଛି। କନ୍ୟା ଭ୍ରୂଣ ହତ୍ୟା ଭଳି ଜଘନ୍ୟ ଅପରାଧକୁ ରୋକିବା ପାଇଁ କେବଳ ଆଇନର ଭୟ ନୁହେଁ, ବରଂ ବ୍ୟାପକ ଜନସଚେତନତା ସୃଷ୍ଟି ଉପରେ ମଧ୍ୟ ବୈଠକରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି।
ବେଆଇନ ଭ୍ରୂଣ ଲିଙ୍ଗ ନିରୂପଣ ଏବଂ କନ୍ୟା ଭ୍ରୂଣ ହତ୍ୟାର ଚେର କାଟିବା ପାଇଁ ସରକାର ଆଉ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ଯେକୌଣସି ବ୍ୟକ୍ତି ବେଆଇନ ଅଲଟ୍ରାସାଉଣ୍ଡ କେନ୍ଦ୍ର କିମ୍ବା ଲିଙ୍ଗ ନିରୂପଣ ସମ୍ପର୍କରେ ସଠିକ୍ ଖବର ପ୍ରଦାନ କରିବେ, ତାଙ୍କୁ ସରକାରଙ୍କ ପକ୍ଷରୁ ପୂର୍ବ ଭଳି ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ସରକାରୀ ସୂଚନା ମୁତାବକ, ୨୦୨୪ ରୁ ୨୦୨୬ ମସିହା ମଧ୍ୟରେ ଜିଲ୍ଲା ସ୍ତରରେ ମୋଟ ୬୪୯ଟି ଏବଂ ରାଜ୍ୟ ସ୍ତରରେ ୧୧ଟି ଅଲଟ୍ରାସାଉଣ୍ଡ କେନ୍ଦ୍ରରେ ଅଚାନକ ଚଢ଼ାଉ କରାଯାଇଛି। ଏହି ସମୟ ମଧ୍ୟରେ ୬ଟି ବେଆଇନ ଅଲଟ୍ରାସାଉଣ୍ଡ କ୍ଲିନିକ୍କୁ ସିଲ୍ କରାଯିବା ସହ ବହୁ ମେସିନ୍ ଜବତ କରାଯାଇଛି। ଏପରିକି ନିୟମ ଉଲ୍ଲଂଘନ କରିଥିବା କେତେକ ସରକାରୀ ଡାକ୍ତର ଏବଂ ଅଧିକାରୀଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ।
