ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢ଼ ପାଇଁ ପଦକ୍ଷେପ ; ପୁରୀରେ ସ୍ଥାପନ କରାଯିବା ନୂତନ ରାଡାର

add-all

ଭୁବନେଶ୍ୱର : ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ସରକାର ଉଦ୍ୟମରତ ଅଛନ୍ତି। ରାଜ୍ୟରେ ପାଣିପାଗ ସ୍ଥିତି ଜାଣିବା ପାଇଁ ୫୭୩କି.ମି ଉପକୂଳ ଅଞ୍ଚଳରେ ୧୨୨ଟି ଟାୱାର ଅବସ୍ଥାପିତ ହୋଇଛି। ତନ୍ମଧ୍ୟରୁ ୪୪ଟି ବଡ଼ ଟାୱାର୍‌ ରହିଛି। ଏହି ଟାୱାର୍‌ଗୁଡ଼ିକ ୨୦୧୭ରେ ନିର୍ମାଣ କରାଯାଇଥିଲା। ଏହି ଟାୱାରଗୁଡ଼ିକ ମାଧ୍ୟମରେ ସାଇରନ ଦିଆଯାଇ ପାଣିପାଗ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇପାରୁଛି। ଆଧୁନିକୀକରଣ ସହ ପ୍ରତ୍ୟେକ ଟାୱାରରେ ୩୬୦ ଡିଗ୍ରୀ କ୍ୟାମେରା ଲଗାଯିବାକୁ ନିଷ୍ପତ୍ତି ହୋଇଛି। ସାଟେଲାଇଟ୍ ଟେଲି କମ୍ୟୁନିକେସନ୍ ସିଷ୍ଟମ୍ ସଂଯୋଗ ଦ୍ବାରା ଏହି ସବୁ ଟାୱାରଗୁଡ଼ିକର ସାମର୍ଥ୍ୟ ବୃଦ୍ଧି ପାଇବ। ଏହି ପରିପ୍ରେକ୍ଷୀରେ ପୁରୀରେ ନୂତନ ରାଡାର ସ୍ଥାପନ କରାଯିବା ନିମନ୍ତେ ନିଷ୍ପତ୍ତି ହୋଇଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏହି ସୂଚନା ଦେଇଛନ୍ତି।

୩୧୪ଟି ବ୍ଲକରେ ଆଧୁନିକ ବ୍ୟବସ୍ଥା ସହ ମୁଖ୍ୟ କଣ୍ଟ୍ରୋଲ ରୁମରୁ ଆଗାମୀ ଦିନରେ ଉଚ୍ଚଗତିଶୀଳ ବ୍ୟବସ୍ଥା ସ୍ଥାପନ କରି ସୂଚନା ଆଦାନପ୍ରଦାନ ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପମାନ ହାତକୁ ନିଆଯାଇଛି। ସମ୍ବଲପୁର ଡପଲର୍ ରାଡାର୍ କ୍ରିୟାଶୀଳ ହୋଇଥିବା ବେଳେ ଖୁବ୍‌ଶୀଘ୍ର ବାଲେଶ୍ୱର ଏବଂ ଭୁବନେଶ୍ୱରର ରାଡାର୍ କାର୍ଯ୍ୟକ୍ଷମ କରାଯିବ। ଗୋପାଳପୁର ଏବଂ ପାରାଦ୍ବୀପଠାରେ ମଧ୍ୟ ପୂର୍ବରୁ ଥିବା ରାଡାର ଆବଶ୍ୟକ ମରାମତି କରାଯାଉଛି। ବଜ୍ରପାତ ମୃତ୍ୟୁକୁ ରୋକିବା ନିମନ୍ତେ ଜଙ୍ଗଲ ବିଭାଗକୁ ସମସ୍ତ ଚାଷ ଜମିରେ ତାଳଗଛ ଲଗାଇବା ନିମନ୍ତେ ୩୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଲଗାଣ ବର୍ଷାରେ ସହରାଞ୍ଚଳ ଜଳବନ୍ଦୀ ସମସ୍ୟା ନିମନ୍ତେ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଇବା ନିମନ୍ତେ ଆଲୋଚନା ଚାଲିଛି। ଭୁବନେଶ୍ୱର ମହାନଗର ନିଗମ ଆଇଆଇଟି ରୁର୍କୀ ସହ ଏଥିନିମନ୍ତେ ଅନୁବନ୍ଧିତ ହୋଇ କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି ସେ ସୂଚନା‌ ଦେଇଛନ୍ତି।

ad-week
Leave A Reply

Your email address will not be published.