
ନୂଆଦିଲ୍ଲୀ:ଆଇଆଇଟି ଦିଲ୍ଲୀର ସମାବର୍ତ୍ତନ ଉତ୍ସବରେ ଶନିବାର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଠନ ଓ ଦେଶର ବିକାଶରେ ଯୁବପିଢ଼ିର ଭୂମିକା ନେଇ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଛାତ୍ରମାନଙ୍କ ମନରେ ଭବିଷ୍ୟତକୁ ନେଇ ଚାଲିଥିବା ଚିନ୍ତାଧାରାର ଉଦାହରଣ ଦେବା ସମୟରେ ସେ ‘ବାବା ବାଗେଶ୍ୱର’ଙ୍କ ଉଲ୍ଲେଖ କରିଥିଲେ।ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ମୋଦୀ କହିଥିଲେ, ସମାବର୍ତ୍ତନ ଉତ୍ସବରେ ଉପସ୍ଥିତ ଥିବା ସମୟରେ ପ୍ରତ୍ୟେକ ଛାତ୍ରଙ୍କ ମନରେ ନିଜ ଭବିଷ୍ୟତକୁ ନେଇ ଅନେକ ଚିନ୍ତା ଚାଲିଥିବ। ଏହାକୁ ନେଇ ସେ ହାସ୍ୟରସ ଛଳରେ କହିଥିଲେ, ‘ମୁଁ ବାବା ବାଗେଶ୍ୱର ନୁହେଁ, କିନ୍ତୁ ନିଶ୍ଚିତ ଭାବେ ପ୍ରତ୍ୟେକ ଛାତ୍ରଙ୍କ ମନରେ କିଛି ନା କିଛି ଚିନ୍ତା ଚାଲିଛି।’
ସେ କହିଥିଲେ, କେହି ନିଜର ପ୍ରଥମ ଦରମାକୁ ଅପେକ୍ଷା କରୁଥିବେ, କେହି ନୂଆ ସହରରେ ନୂଆ ଜୀବନ ଆରମ୍ଭ କରିବାର ସ୍ୱପ୍ନ ଦେଖୁଥିବେ। ଆଉ କେତେକ ଛାତ୍ର ନିଜର ପ୍ରଥମ ଷ୍ଟାର୍ଟଅପ୍ ଆରମ୍ଭ କରିବା ନେଇ ଚିନ୍ତା କରୁଥିବା ବେଳେ ଅନ୍ୟ କେହି ପରବର୍ତ୍ତୀ ପ୍ରତିଯୋଗିତାମୂଳକ ପରୀକ୍ଷାକୁ ନିଜର ଲକ୍ଷ୍ୟ କରିଥିବେ। ପ୍ରତ୍ୟେକଙ୍କ ପଥ ଓ ସ୍ୱପ୍ନ ଭିନ୍ନ ହେଲେ ମଧ୍ୟ ଭବିଷ୍ୟତ ପାଇଁ ଆଶା ସମସ୍ତଙ୍କ ମଧ୍ୟରେ ସାଧାରଣ ବୋଲି ସେ କହିଥିଲେ।
ଆମେ ତୁମକୁ ବିଶ୍ୱାସ କରୁଛୁ। ଦେଶକୁ ତୁମର ଆବଶ୍ୟକତା ଅଛି;ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କ କ୍ଷମତା ଉପରେ ଭରସା ପ୍ରକାଶ କରି କହିଥିଲେ, ‘ଆମେ ତୁମକୁ ବିଶ୍ୱାସ କରୁଛୁ। ଦେଶକୁ ତୁମର ଆବଶ୍ୟକତା ଅଛି।’ ପ୍ରତ୍ୟେକ ପିଢ଼ିର ଦେଶ ପ୍ରତି ନିଜସ୍ୱ ଦାୟିତ୍ୱ ରହିଥାଏ ଏବଂ ଯୁବପିଢ଼ିର ଲକ୍ଷ୍ୟରେ ଦେଶର ସର୍ବାଙ୍ଗୀନ ବିକାଶ ସାମିଲ ହେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।
ମୋଦୀ କହିଥିଲେ, ପ୍ରତ୍ୟେକ ପିଢ଼ି ନିଜ ସମୟର ଚ୍ୟାଲେଞ୍ଜର ସାମ୍ନା କରିବା ସହ ଦେଶ ପ୍ରତି ନିଜର ଦାୟିତ୍ୱ ମଧ୍ୟ ପୂରଣ କରିଥାଏ। ଆଗାମୀ ୩୦ରୁ ୩୫ ବର୍ଷ ମଧ୍ୟରେ ଆଜିର ଯୁବପିଢ଼ି ଭାରତର ବିକାଶ ଯାତ୍ରାକୁ ପ୍ରଭାବିତ କରିବ ବୋଲି ସେ କହିଥିଲେ।
‘ବିକଶିତ ଭାରତ’ ପାଇଁ ଯୁବପିଢ଼ି ଗୁରୁତ୍ୱପୂର୍ଣ୍ଣ:ମୋଦୀ
ସମାବର୍ତ୍ତନ ଉତ୍ସବରେ ମୋଦୀ କହିଥିଲେ ଯେ ‘ବିକଶିତ ଭାରତ’ ଗଠନ ଦିଗରେ ଦେଶର ଯାତ୍ରାରେ ଯୁବପିଢ଼ିଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଦେଶର ଭବିଷ୍ୟତ ଗଠନରେ ଆଜିର ଛାତ୍ରଛାତ୍ରୀମାନେ ନିଜ ଜ୍ଞାନ, ଦକ୍ଷତା ଓ ନୂଆ ଚିନ୍ତାଧାରାକୁ ବ୍ୟବହାର କରିବା ଆବଶ୍ୟକ ବୋଲି ସେ କହିଥିଲେ।ଆଇଆଇଟି ଦିଲ୍ଲୀର ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନରେ ଛାତ୍ରମାନଙ୍କ ବ୍ୟକ୍ତିଗତ ସ୍ୱପ୍ନ ସହ ଦେଶର ବିକାଶ ଲକ୍ଷ୍ୟକୁ ଯୋଡ଼ିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
