
ଭଞ୍ଜନଗର:ବାରମ୍ବାର ଭୂ-ସ୍ଖଳନ ଘଟି ଜନ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ଢ଼େପଗୁଡ଼ା ଗ୍ରାମବାସୀଙ୍କ ପାଇଁ ଏବେ ନିର୍ଣ୍ଣାୟକ ସ୍ଥିତି ଉପୁଜିଛି। ଗୁରୁବାର ରାତିରେ ଗ୍ରାମର ବିଜୟ ନାୟକ, ଅନନ୍ତ ନାୟକ ଓ ବୃନ୍ଦା ନାୟକଙ୍କ ଘର ସମ୍ମୁଖରେ ଭୁ – ସ୍ଖଳନ ଘଟି ଏକ ବିରାଟ ଗର୍ତ୍ତ ସୃଷ୍ଟି ହେବା ପରେ ଗ୍ରାମବାସୀଙ୍କ ଆଖିରୁ ନିଦ ହଜି ଯାଇଛି। ବିଜୟଙ୍କ ଘରର କିଛି ଅଂଶ ଧସେଇ ହୋଇ ଗର୍ତ୍ତ ଭିତରେ ପଶି ଯାଇଛି। କୌଣସି ମୁହୂର୍ତ୍ତରେ ଗ୍ରାମଟି ଭୁ – ସ୍ଖଳନରେ ନିଶ୍ଚିହ୍ନ ହେବାର ଆଶଙ୍କା ଉପୁଜିଛି। ଆଜି କନ୍ଧମାଳ ପ୍ରଶାସନଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ଏହି ୩ ପରିବାରକୁ ସ୍ଥାନାନ୍ତରିତ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଜରୁରୀକାଳୀନ ଭିତ୍ତିରେ ଇନ୍ଦ୍ରଗଡ ପୁରୁଣା ହାଇସ୍କୁଲ କୋଠାର ତାଲା ଭାଙ୍ଗି ଏହି ୩ ପରିବାର ରହଣି ପାଇଁ ବ୍ୟବସ୍ଥା କରାଯାଇଛି। ସୂଚନା ଯୋଗ୍ୟ ଯେ ୨୦୧୩ ମହାବାତ୍ୟା ଫାଇଲିନ ପରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ଇନ୍ଦ୍ରଗଡ ପଞ୍ଚାୟତର ଢ଼େପାଗୁଡ଼ା ଗ୍ରାମରେ ଲଗାତାର ଭାବେ ଭୂ – ସ୍ଖଳନ ଘଟି ବଡ଼ ବଡ଼ ୩ ଟି ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବା ପରେ ଗ୍ରାମର ସ୍ଥିତାବସ୍ଥା ନେଇ ରାଜ୍ୟ ସରକାର ତତ୍ପର ହୋଇ ଉଠିଥିଲେ। ଭୁ – ତତ୍ତ୍ୱ ବିଜ୍ଞାନୀ ଓ ଗବେଷକ ମାନେ ଏହି ଗ୍ରାମରେ ପହଞ୍ଚି ମାଟି ଓ ଏହାର ପାରିପାର୍ଶ୍ଵିକ ସ୍ଥିତିକୁ ଅନୁଧ୍ୟାନ କରି ଭୁ – ଗର୍ଭରେ ଏକ ଜଳସ୍ରୋତ ଇନ୍ଦ୍ରଗଡ ନିକଟରେ ପ୍ରବାହିତ ହୋଇଥିବା ନଦୀକୁ ସଂଯୋଗ ହୋଇଥିବାର ଜାଣି ପାରିଥିଲେ। ଭୁ – ଗର୍ଭ ଝରଣା ସ୍ରୋତରେ ମାଟି ସବୁ ଧୋଇ ହୋଇ ନଦୀ ପୋତି ହେଉଥିବାର ଲକ୍ଷ୍ୟ କରିପାରିଥିଲେ। ଫଳରେ ଢ଼େ଼ପାଗୁଡ଼ା ଗ୍ରାମବାସୀ ଏଠାରେ ବସତି ସ୍ଥାପନ କରିବା ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ବୋଲି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ।
ଫଳରେ ରାଜ୍ୟ ସରକାରଙ୍କ ତରଫରୁ ଏଠାରେ ବସତି ସ୍ଥାପନ ପାଇଁ ନିଷେଧାଜ୍ଞା ଜାରି କରାଯାଇଥିଲା। କନ୍ଧମାଳ ପ୍ରଶାସନ ତରଫରୁ ଏମାନଙ୍କୁ ୨ ଟି ସ୍ଥାନରେ ଜାଗା ଯୋଗାଇ ଦିଆଯାଇଥିଲା। ଗୋଟିଏ ହେଲା ହରିଜନ ପରିବାରଙ୍କ ପାଇଁ ପୁରୁଣା ହାଇସ୍କୁଲ ନିକଟସ୍ଥ ପାତ୍ରଢ଼ିଅ ଓ ଅନ୍ୟଟି ଇନ୍ଦ୍ରଗ୍ରାମ ଠାରୁ ପ୍ରାୟ ଦେଢ଼ କି. ମି ଦୂର ସୁବର୍ଣ୍ଣପୁର ସ୍ଥାନ। ସରକାରୀ ବ୍ୟବସ୍ଥା ଅନୁଯାୟୀ ଗ୍ରାମରେ ବାସ କରୁଥିବା ଉଭୟ ଶ୍ରେଣୀର ପ୍ରାୟ ୪୦ ପରିବାରଙ୍କ ପାଇଁ ଜମି ଅଧିଗ୍ରହଣ କରାଯାଇ ଦୁଇ ଠିକାଦାରଙ୍କ ଦ୍ୱାରା ଉଭୟ ସ୍ଥାନରେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ, କାହିଁକି ସମସ୍ତ ପରିବାରଙ୍କ ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇ ନ ପାରି ଅଧାପନ୍ତରିଆ ଭାବେ ରହିଯାଇଥିବା ବେଳେ ଅନ୍ୟ କିଛି ପରିବାର ନିଜସ୍ୱ ଉଦ୍ୟମରେ ଛାତ ପକାଇଥିଲେ। ତେବେ, ଆଦିବାସୀଙ୍କ ପାଇଁ ନିର୍ମାଣ କରାଯାଇଥିବା ସୁବର୍ଣ୍ଣପୁରରେ ଢେପାଗୁଡ଼ା ୱାର୍ଡ ମେମ୍ବର ଶିବ ପ୍ରସାଦ ନାୟକଙ୍କ ସମେତ ପଞ୍ଚାନନ ନାୟକ, ଲକ୍ଷ୍ମୀ ନାୟକ ଓ କେତନ ମଲ୍ଲିକ ନିଜସ୍ୱ ଉଦ୍ୟମରେ ନିଜର ଭିଟାମାଟି ଛାଡ଼ି ଆଦିବାସୀଙ୍କ ପାଇଁ ନିର୍ମାଣ କରାଯାଇଥିବା ସୁବର୍ଣ୍ଣପୁରରେ ଆଶ୍ରୟ ନେଇଥିବା ବେଳେ ପାତ୍ରଢିହ ନୂତନ ହରିଜନ ବସ୍ତିରେ ଏକମାତ୍ର ପରିବାର ଜଗନ୍ନାଥ ନାୟକ ଆଶ୍ରୟ ନେଇଛନ୍ତି। ଅନ୍ୟ ୪ ପରିବାର ଯୁଧଷ୍ଠିର ନାୟକ, ଅଶୋକ ନାୟକ, ମନୁ ନାୟକ ଓ ସନ୍ତୋଷ ନାୟକଙ୍କ ଘର କାମ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଏହି ୪ ପରିବାର ଭିଟାମାଟି ଛାଡୁନାହାନ୍ତି ବୋଲି ସରପଞ୍ଚ ବନିତା ମଲ୍ଲିକଙ୍କ ପ୍ରତନିଧି ଜୟସେନ୍ ମଲ୍ଲିକ ପ୍ରକାଶ କରିଛନ୍ତି। ଗତ ୩ ଦିନ ତଳେ ଭୁ – ସ୍ଖଳନ ଘଟିବା ପରେ ଇନ୍ଦ୍ରଗଡ ରାଜସ୍ବ ନିରୀକ୍ଷକ ଢେପାଗୁଡ଼ା ଗ୍ରାମବାସୀଙ୍କ ନିକଟରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ରାଇକିଆ ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଥିବା ବେଳେ ବି ଡି ଓ ଇନ୍ଦ୍ରଗଡ ସରପଞ୍ଚ ବନିତା ମଲ୍ଲିକଙ୍କ ସୋମବାର ନିଜ କାର୍ଯ୍ୟାଳୟକୁ ଡାକି ଏହି ସମ୍ପର୍କରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି।
ତେବେ, ଢେପାଗୁଡ଼ା ଗ୍ରାମ ଭୁ – ସ୍ଖଳନର ସଂପୂର୍ଣ୍ଣ ବିଲୀନ ହେବାର ଭୁ – ତତ୍ତ୍ୱ ବିଜ୍ଞାନୀମାନେ ତଥ୍ୟ ପ୍ରଦାନ କରିବା ପରେ ଏହି ଗ୍ରାମରେ ବସବାସ ପାଇଁ ପ୍ରଶାସନ ତରଫରୁ ନିଷେଧାଜ୍ଞା ଜାରି କରାଯାଇଥିଲା । ଅଥଚ, ଦୀର୍ଘ ୧୩ ବର୍ଷ ଧରି ଏହି ଏହି ଗ୍ରାମର ୩୦ ରୁ ଉର୍ଦ୍ଧ ପରିବାର ଆସନ୍ନ ବିପଦର ମୁଁହରେ କାହିଁକି ଭିଟାମାଟି ଛାଡୁ ନାହାନ୍ତି ତାହା ଏବେ ବିରାଟ ପ୍ରଶ୍ନ ହୋଇ ଠିଆ ହୋଇ ରହିଛି। ବର୍ତ୍ତମାନ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ଗ୍ରାମଟି ପାଇଁ ଅଧିକ ବିପଦ ସୃଷ୍ଟି କରିଛି ।
