
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ଏବଂ ୟୁଟ୍ୟୁବ ଚାନେଲ ସୁହାନୀ କ୍ରିଏସନ ଓ ତିରୁପତି ଓଡ଼ିଆ ପ୍ରଡକ୍ସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ହିଲପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ପବିତ୍ର ଗ୍ରାମୀଣ ନାଟ୍ୟ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଚରଣରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଭଜନ ସମାରୋହ ବରିଷ୍ଠ ଉଦଘୋଷକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ହୋଇଥିଲା । କଳାପ୍ରାଣ କୈଳାସ ପାଣିଗ୍ରାହୀ ବିଧିବତ୍ ଏହାର ଶୁଭ ଉଦ୍ଘାଟନ କରିଥିଲେ। ଦ୍ଵିତୀୟ ଚରଣରେ ମା’ ମଙ୍ଗଳା ଓ କଳାପାଟ ଲୋକ ନାଟ୍ୟ ସଂଘ, ଦ୍ୱାନପଲ୍ଲୀ ପ୍ରଯୋଜିତ ଲୋକ ନାଟକ ଲକ୍ଷ୍ମୀ ପୂରାଣ ପରିବେଷଣ କରାଯାଇଥିଲା। ଏହି ଅବସରରେ ନାଟ୍ୟ ଗୁରୁ ବନଜ କୁମାର ସାହୁ, ପରିଚାଳକ ପୂର୍ଣ୍ଣ ଚନ୍ଦ୍ର ସାହୁ, ରୂପକାର କାମେଶ୍ଵର ପ୍ରଧାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ଓ ଶିଶୁକଳାକାର ଆଶା, ଓଁ, ଗଣେଶ, ଅମର, ଖୁସି ଓ ପିଲି ମୋହନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମର ତୃତୀୟ ଚରଣରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା। ମଞ୍ଚ ମୋହନ ରାଜେନ୍ଦ୍ର ପତି ମୂଖ୍ୟ ଅତିଥି, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା ବିଶିଷ୍ଟ ଅତିଥି, ସାଂସ୍କୃତିକ ଗବେଷକ ଡଃ. ବାୟାମନୁ ଚର୍ଚ୍ଚି ମୂଖ୍ୟ ବକ୍ତା, ସଂସ୍କୃତିପ୍ରାଣା ବ୍ୟକ୍ତିତ୍ୱ ଇଂ. ଯାମିନୀକାନ୍ତ ଦାସ ବିଶିଷ୍ଟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ମହାସଂଘ କାର୍ଯ୍ୟକାରୀ ସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇ ଗ୍ରାମୀଣ ନାଟ୍ୟ ଦିବସ ଗ୍ରାମୀଣ କଳାକାରମାନଙ୍କୁ ଯଥେଷ୍ଟ ପ୍ରେରଣାପ୍ରଦ ହେବା ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବରିଷ୍ଠ କଳାକାର ଗୁରୁ ନବଘନ ପରିଡା, ଗୁରୁ ରଙ୍କନିଧି ବେହେରା, ଗ୍ରାମୀଣ ନାଟ୍ୟଗୁରୁ ଦୟାନିଧି ପାତ୍ର, କଣ୍ଠଶିଳ୍ପୀ ଡ଼ା. ଚନ୍ଦନ ଗନ୍ତାୟତ, ବରିଷ୍ଠ କଳାକାର ମହେନ୍ଦ୍ର କୁମାର ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା କାର୍ଯ୍ୟରେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ ସଂଯୋଜନା କରିଥିବା ବେଳେ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଡ଼ା. ସାହୁଙ୍କୁ ବିଭିନ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷ ତରଫରୁତାଙ୍କରି ୬୫ତମ ଜନ୍ମଦିନ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମର ଅନ୍ତିମ ଚରଣରେ ଶୈଳଭାମା ମହାପାତ୍ର, ଆଲୋକ କୁଣ୍ଡୁ, କରୁଣାକର ସେଠୀ, ମାନସୀ ପାତ୍ର, ସଂଗ୍ରାମ ମହାନ୍ତି, ଅଭିଲିପ୍ସା ପାତ୍ର, ସୌମ୍ୟ ରଂଜନ ମଲ୍ଲିକ, ସୁଦୀପ ସାହୁ, ସ୍ଵରବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ କଣ୍ଠ ଶିଳ୍ପୀମାନେ ଡ଼ା. ସାହୁଙ୍କ ରଚିତ ଭଜନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଡ଼ା. ଏନ୍. ସୁରେଶ ଚୌଧୁରୀ, ୟୁ. ପ୍ରେମା, ଏନ୍. ନୀଳକଣ୍ଠ, କୁରା ଗୌଡ଼, ଚାନ୍ଦମାମା ବେହେରା, ସରୋଜ କାନ୍ତ ପଣ୍ଡା ନଳିନୀକାନ୍ତ ଗୌଡ଼, ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ନାଟ୍ୟ ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
