ସୀମାନ୍ତ ଅଞ୍ଚଳରେ ଶିକ୍ଷାର ନୂଆ ଆଲୋକ : ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ରାଜାପୁଟି ଆଶ୍ରମ ବିଦ୍ୟାଳୟର ୧୨ ଛାତ୍ରଛାତ୍ରୀ କୃତକାର୍ଯ୍ୟ

kalipuja

ଉମରକୋଟ / ରାଇଘର : ନବରଙ୍ଗପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ରାଇଘର ବ୍ଲକ ଅନ୍ତର୍ଗତ ରାଜାପୁଟି ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଏହି ବିଦ୍ୟାଳୟର ୧୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇ ପରବର୍ତ୍ତୀ ଶିକ୍ଷା ଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି। ସୀମାନ୍ତ ଅଞ୍ଚଳର ଏକ ଆଶ୍ରମ ବିଦ୍ୟାଳୟରୁ ଏକାଥରକେ ୧୨ ଜଣ ଛାତ୍ରଛାତ୍ରୀଙ୍କ ଏହି ସଫଳତା ଶିକ୍ଷା ମହଲରେ ବେଶ୍ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଛି।

ପ୍ରକାଶ ଥାଉକି, ରାଇଘର ବ୍ଲକର ଅନେକ ଅଞ୍ଚଳ ଆଜି ମଧ୍ୟ ଶିକ୍ଷା, ଯୋଗାଯୋଗ ଓ ମୌଳିକ ସୁବିଧା କ୍ଷେତ୍ରରେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି। ଏଭଳି ପରିସ୍ଥିତିରେ ଗରିବ ଓ ଆଦିବାସୀ ପରିବାରରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ନିଜର ଅଧ୍ୟବସାୟ, ଦୃଢ଼ ଇଚ୍ଛାଶକ୍ତି ଓ ନିରନ୍ତର ପରିଶ୍ରମ ବଳରେ ଏହି ସଫଳତା ହାସଲ କରିବା ନିଶ୍ଚିତ ଭାବେ ପ୍ରଶଂସନୀୟ। ଆର୍ଥିକ ଅନଟନ ଓ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସେମାନଙ୍କ ଶିକ୍ଷାଗ୍ରହଣରେ ବାଧା ସୃଷ୍ଟି କରିଥିଲେ ମଧ୍ୟ ଶିକ୍ଷା ପ୍ରତି ଆଗ୍ରହ ଓ ଉଚ୍ଚ ଲକ୍ଷ୍ୟ ହାସଲ କରିବାର ମନୋବଳ ସେମାନଙ୍କୁ ଏହି ସଫଳତା ଦେଇଛି।

ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନାରାୟଣ ପାନକାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, ଉଚିତ୍ ମାର୍ଗଦର୍ଶନ ଓ ଶିକ୍ଷାଦାନ ପ୍ରତି ନିଷ୍ଠା ଏହି ସଫଳତାର ଏକ ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। ଏଥିସହ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସମର୍ପିତ ମନୋଭାବ, ନିରନ୍ତର ପରିଶ୍ରମ ଏବଂ ପିଲାମାନଙ୍କ ପ୍ରତି ଆନ୍ତରିକ ସହଯୋଗ ମଧ୍ୟ ଏହି ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଶିକ୍ଷକମାନଙ୍କ ଉଚିତ୍ ଦିଗ୍‌ଦର୍ଶନ ଓ ଛାତ୍ରଛାତ୍ରୀଙ୍କ ଅକ୍ଳାନ୍ତ ପରିଶ୍ରମର ସମନ୍ୱୟରେ ଆଜି ରାଜାପୁଟି ଆଶ୍ରମ ବିଦ୍ୟାଳୟ ଏହି ସଫଳତାର ନୂଆ ପରିଚୟ ହାସଲ କରିଛି।

ସଫଳତା ହାସଲ କରିଥିବା କୃତୀ ଛାତ୍ରଛାତ୍ରୀମାନେ ହେଲେ ରଞ୍ଜିତ ଗଣ୍ଡ, ଶାନ୍ତିରାଜ ସାନ୍ତା, ବାବୁଲ ଗଣ୍ଡ, ଉପେନ୍ଦ୍ର ଗଣ୍ଡ, ପିଣ୍ଟୁ ଗଣ୍ଡ, ଶଙ୍କର ସାନ୍ତା, ଗୌରୀ ଶଙ୍କର ଭତ୍ରା, ଚଞ୍ଚଳା ଗଣ୍ଡ, କବିତା ଗଣ୍ଡ, ସାଗରିକା ଗଣ୍ଡ, ଗାୟତ୍ରୀ ଗଣ୍ଡ ଏବଂ ଚନ୍ଦ୍ରିକା ଗଣ୍ଡ। ଏହି ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କ ସଫଳତାକୁ ନେଇ ବିଦ୍ୟାଳୟ ପରିବାର ଗର୍ବିତ ହେବା ସହ ସେମାନଙ୍କ ଅଭିଭାବକମାନଙ୍କ ମଧ୍ୟରେ ଖୁସିର ପରିବେଶ ଦେଖାଦେଇଛି।

ଏହି ସଫଳତାର ଖବର ପ୍ରଚାରିତ ହେବା ପରେ ସମଗ୍ର ରାଇଘର ବ୍ଲକ ସମେତ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି। ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ୍, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ସ୍ଥାନୀୟ ସରପଞ୍ଚ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସମେତ ଅଞ୍ଚଳର ବହୁ ଜନସାଧାରଣ ଏହି କୃତୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ସ୍ଥାନୀୟ ଶିକ୍ଷାପ୍ରେମୀ ମହଲରେ ମତ ପ୍ରକାଶ ପାଇଛି ଯେ, ରାଜାପୁଟି ଆଶ୍ରମ ବିଦ୍ୟାଳୟର ଏହି ସଫଳତା ସୀମାନ୍ତ ଅଞ୍ଚଳର ଅନ୍ୟାନ୍ୟ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ହେବ। ଏହାଦ୍ୱାରା ଗ୍ରାମାଞ୍ଚଳର ଅଭିଭାବକମାନେ ମଧ୍ୟ ନିଜ ପିଲାମାନଙ୍କ ଶିକ୍ଷା ପ୍ରତି ଅଧିକ ସଚେତନ ହେବା ସହ ଉଚ୍ଚଶିକ୍ଷା ପାଇଁ ସେମାନଙ୍କୁ ଉତ୍ସାହିତ କରିବେ ବୋଲି ଆଶା କରାଯାଉଛି।

ଏ ସମ୍ପର୍କରେ ପ୍ରଧାନଶିକ୍ଷକ ଶ୍ରୀ ନାରାୟଣ ପାନକା ଆଶାବ୍ୟକ୍ତ କରିଛନ୍ତି ଯେ, ଏହି ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଉତ୍ତମ ଶିକ୍ଷା ଗ୍ରହଣ କରି ନିଜର ଜ୍ଞାନ, ଦକ୍ଷତା ଓ ପ୍ରତିଭାର ବିକାଶ କରିବେ। ଭବିଷ୍ୟତରେ ଉଚ୍ଚଶିକ୍ଷା ହାସଲ କରି ନିଜ ପରିବାର, ସମାଜ ଓ ଜିଲ୍ଲାର ଗୌରବ ବୃଦ୍ଧି କରିବେ।

ସୀମାନ୍ତ ଅଞ୍ଚଳର ଏହି ସଫଳତା କେବଳ ୧୨ ଜଣ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ କୃତିତ୍ୱ ନୁହେଁ, ବରଂ ଏହା ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥା, ଶିକ୍ଷକମାନଙ୍କ ନିଷ୍ଠା ଓ ଆଦିବାସୀ ସମାଜର ନୂତନ ପିଢ଼ିର ସ୍ୱପ୍ନକୁ ନୂଆ ଦିଗ ଦେଖାଇଛି। ଏହି ସଫଳତା ଆଗାମୀ ଦିନରେ ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।

ad-week
Leave A Reply

Your email address will not be published.