ମା’ ପାଟଖଣ୍ଡା ମନ୍ଦିର ପରିସରରେ ଦୀପଦାନ ଓ ଆଲୋକୀକରଣ ଉତ୍ସବ : ମା’ଙ୍କ ଆରାଧନାରେ ଆଲୋକମୟ ହେଲା ମନ୍ଦିର ପରିସର

kalipuja

ବାଲିଗୁଡ଼ା : ପବିତ୍ର ଶ୍ୟାମା କାଳୀ ପୂଜା ଓ ଦୀପାବଳି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ମନ୍ଦିର ପରିସର ଦୀପର ଆଲୋକରେ ଝଲସି ଉଠିଥିଲା। ମା’ ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ମନ୍ଦିରର ଚତୁଃପାର୍ଶ୍ୱରେ ଦୀପଦାନ ସହ ଆକର୍ଷଣୀୟ ଆଲୋକୀକରଣ ଉତ୍ସବ ଆୟୋଜନ କରାଯାଇଥିଲା। ରବିବାର ସନ୍ଧ୍ୟା ସମୟରେ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ଓ ଆରାଧନା କରାଯିବା ପରେ ଏହି ଉତ୍ସବର ଶୁଭାରମ୍ଭ ହୋଇଥିଲା। ଏହାପରେ ମନ୍ଦିର ପରିସର ଓ ଚତୁଃପାର୍ଶ୍ୱରେ ଦୀପ ପ୍ରଜ୍ଜ୍ୱଳନ କରାଯିବା ସହ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା। ଦୀପର ଆଲୋକ ଓ ଭକ୍ତିମୟ ପରିବେଶ ମନ୍ଦିର ପରିସରକୁ ଏକ ଆଧ୍ୟାତ୍ମିକ ମାହୋଲରେ ପରିଣତ କରିଥିଲା। ଏହି ଆୟୋଜନରେ ମାର୍କେଟର ବ୍ୟବସାୟୀ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଉତ୍ସବର ପରିଚାଳନାରେ ସହଯୋଗ କରିଥିଲେ। ଦୀପଦାନ ଓ ଆଲୋକୀକରଣ ମାଧ୍ୟମରେ ମା’ଙ୍କ ପ୍ରତି ଭକ୍ତି, ଶ୍ରଦ୍ଧା ଓ ସାମୂହିକ ଏକତାର ସୁନ୍ଦର ପରିଚୟ ମିଳିଥିଲା।

ad-week
Leave A Reply

Your email address will not be published.