ଚାରବର୍ଷରେ ମଧ୍ୟ ସମ୍ପୂର୍ଣ୍ଣ ହେଲାନି ଆବାସ ଗୃହ ନିର୍ମାଣ : ପଞ୍ଚାୟତ ସମିତିରୁ ନୋଟିସ, ହିତାଧିକାରୀଙ୍କ ମୁଣ୍ଡରେ ଚଡ଼କ

ଓପିଡିଆର ଆକ୍ଟ 1962 ରେ ଦଣ୍ଡିତ ହୋଇ ପାରନ୍ତି
କୋରାପୁଟ/କୋଟପାଡ଼ : ଜ଼ିଲ୍ଲାର ସୀମାନ୍ତବର୍ତ୍ତୀ କୋଟପାଡ଼ ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ଆବାସ ଯୋଜନା ଦୁର୍ନୀତିରେ ପୋତି ହୋଇ ପଡିଛି l ଦୀର୍ଘଦିନ ଧରି ହିତାଧିକାରୀମାନେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଏବଂ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି, ଏପରିକି ଜ଼ିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣିରେ ମଧ୍ୟ ଅଭିଯୋଗ କଲା ସତ୍ୱେ ଆବାସ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲାନି l ଶେଷରେ କିଛି ଜଣ ଋଣବାଡ଼ କରି ଯେମିତି ସେମିତି ସିମେଣ୍ଟ ଛାତ ବଦଳରେ ଟିଣ ପକାଇଛନ୍ତି l ହେଲେ ବର୍ତମାନ ପଞ୍ଚାୟତ ସମିତି କାର୍ଯ୍ୟାଳୟରୁ ହିତାଧିକାରୀଙ୍କୁ ନୋଟିସ ଜରିଆରେ ଆବାସ ଗୃହ କାର୍ଯ୍ୟ ସମ୍ପୂର୍ଣ କରିବାକୁ କୁହାଯାଉଛି, ନଚେତ ଓ଼. ପି. ଡି. ଆର. ଏକ୍ଟ 1962 ଅନୁସାରେ ଦଣ୍ଡବିଧାନ କରାଯିବାକୁ ନେଇ ଉଲ୍ଲେଖ କରାଯାଇଛି l
ଅପର ପକ୍ଷରେ ଆବାସ ହିତାଧିକାରୀ, ଗରୀବ, ଖଟିଖିଆ ମଜୁରୀଆ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀୟ ହୋଇଥିବା ବେଳେ କେମିତି ଗୃହ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ ଏ ନେଇ ଚିନ୍ତାରେ ପଡିଛନ୍ତି l ପ୍ରକାଶ ଥାଉକି, ଆର୍ଥିକ ବର୍ଷ 2020-21ମସିହାରେ କୋଟପାଡ଼ ବ୍ଲକ ଅନ୍ତର୍ଗତ ମୁର୍ତାହାଣ୍ଡି ପଞ୍ଚାୟତରେ ଥିବା ସlହନିମୁଣ୍ଡା ଗ୍ରାମ ଏବଂ ଜ଼ିରାଗାଁର ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଗୃହ /ବିଜ୍ଜୁପକ୍କା ଘର ଯୋଜନାରେ ଯୋଗ୍ୟ ବିବେଚିତ ହୋଇ କାର୍ଯ୍ୟାଦେଶ ପାଇଥିଲେ, କାର୍ଯ୍ୟାଦେଶ ସହିତ ଚାଳିଶି ହଜାର ଟଙ୍କା ମଧ୍ୟ ପାଇଥିଲେ l
ଯେଉଁ ହିତାଧିକାରୀଙ୍କ ଛାତ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ହୋଇଥିଲା, ସେମାନଙ୍କୁ ଦ୍ୟୁତୀୟ କିସ୍ତି ଟଙ୍କା ବ୍ୟାଙ୍କ ଖାତାରେ ଜମା ହେବା ପରେ,ସେହି ସମୟରେ ସଦ୍ୟ ନିର୍ବାଚିତ ସରପଞ୍ଚ (ବର୍ତମାନ ବରଖାସ୍ତ )ଏମାନଙ୍କ ସରଳତାର ସୁଯୋଗ ନେଇ, ଆବାସ ଗୃହ କାର୍ଯ୍ୟ ତିନିମାସ ଭିତରେ ସମ୍ପୂର୍ଣ କରାଇଦେବି ବୋଲି ମିଥ୍ୟା ପ୍ରରୋଚନା ଦେଇ ଲକ୍ଷାଧିକ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରୁ ଉଠାଣ କରାଇ ନେଇଥିଲେ l ପରବର୍ତ୍ତୀ ସମୟରେ ବିଭିନ୍ନ ଅନୈତିକ କାର୍ଯ୍ୟରେ ଜଡିତ ହେବା ଦ୍ୱାରା ନିଜର ପଦପି ହରାଇ କେଉଁଠି ଆତ୍ମଗପନ କରିଛନ୍ତି l
ଏପରି ସ୍ଥିତିରେ ନା ହିତାଧିକାରିମାନଙ୍କ ଗୃହ କାର୍ଯ୍ୟ ପୁରା ହେଲା, ନା ହାତରେ ଟଙ୍କା ମିଳିଲା, ବର୍ତମାନ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହରଡ଼ଘଣାରେ ପଡିଛନ୍ତି ସlହନିମୁଣ୍ଡା ଏବଂ ଜିରାଗାଁର ଆବାସ ହିତାଧିକାରୀ l
