କେନ୍ଦ୍ର ସରକାର ଆଣିଲେ ସଂଶୋଧିତ ଏମ୍‌ଏମ୍‌ଡିଆର୍‌ ବିଲ୍‌, ଖଣି ଉପରେ ମନଇଚ୍ଛା ଟିକସ ଲଗାଇ ପାରିବେନି ରାଜ୍ୟ !

add-all

ଭୁବନେଶ୍ୱର: ଖଣି ଉପରେ କେନ୍ଦ୍ରର ପୂର୍ଣ୍ଣ ନିୟନ୍ତ୍ରଣ ରହିବ କି? ଖଣି ଓ ଖଣିଜ ସମ୍ପଦକୁ ନେଇ କେନ୍ଦ୍ର ସରକାର ଆଣିଛନ୍ତି ସଂଶୋଧିତ ଏମ୍‌ଏମ୍‌ଡିଆର୍‌ ବିଲ୍‌। ସଂସଦର ମୌସୁମୀ ଅଧିବେଶନରେ, କେନ୍ଦ୍ର ସରକାର ଖଣି ଏବଂ ଖଣିଜ ସମ୍ବନ୍ଧୀୟ ନିୟମ ସଂଶୋଧନ ପାଇଁ ଏକ ବିଲ୍ ଆଗତ କରିଥିଲେ। ଯଦି ଏହା ଆଇନରେ ପରିଣତ ହୁଏ, ତେବେ ରାଜ୍ୟ ସରକାରମାନେ ଆଉ ଖଣିଜ ଅଧିକାର ଉପରେ ଅତିରିକ୍ତ ଟିକସ ଲାଗୁ କରିପାରିବେ ନାହିଁ। “ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ବିଲ୍, ୨୦୨୬” , ଏହି ବିଲ୍ ରାଜ୍ୟଗୁଡ଼ିକର ଖଣିଜ ପଦାର୍ଥ ଉପରେ ଟିକସ ଲଗାଇବା ଏବଂ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ବୃଦ୍ଧି କରିବାର କ୍ଷମତାକୁ ସୀମିତ କରିବା ପାଇଁ ଲକ୍ଷ୍ୟ ରଖିଛି।

କୋଇଲା ଏବଂ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀ ଏହି ବିଲ୍ ଲୋକସଭାରେ ଆଗତ କରିଥିଲେ। ବିଲ୍ ରେ କୁହାଯାଇଛି ଯେ “ରାଜ୍ୟ ସରକାରଗୁଡ଼ିକ ଖଣିଜ ଅଧିକାର ଉପରେ କୌଣସି ଟିକସ, ସେସ୍ କିମ୍ବା ସମାନ ଶୁଳ୍କ ଲାଗୁ କରିବେ ନାହିଁ।” ଏହି ବ୍ୟବସ୍ଥାଗୁଡ଼ିକ କେବଳ ଖଣିଜ ପଦାର୍ଥ ପାଇଁ ନୁହେଁ ବରଂ ଖଣିଜ ପଦାର୍ଥ ଥିବା ଜମି ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଏହାକୁ ନେଇ ପ୍ରଶ୍ନ ଉଠୁଛି-ଖଣିଜ ସମ୍ପଦ ଥିବା ରାଜ୍ୟର ଆର୍ଥିକ କ୍ଷମତା କେତେଦୂର ରହିବ? ରାଜ୍ୟର ରାଜସ୍ୱ ଉପରେ ଏହାର ପ୍ରଭାବ କେତେ ପଡ଼ିବ?

ଲୋକସଭାରେ ବିଲ୍‌ ଆଗତ ହେବା ପରେ ଏହାକୁ ନେଇ ରାଜ୍ୟଗୁଡ଼ିକର ଅଧିକାର ଓ ଆର୍ଥିକ କ୍ଷମତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷକରି ଓଡ଼ିଶା ଭଳି ଖଣିଜ ସମ୍ପଦରେ ସମୃଦ୍ଧ ରାଜ୍ୟଗୁଡ଼ିକ ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି । କାରଣ ରାଜ୍ୟର ଆର୍ଥିକ ବ୍ୟବସ୍ଥାରେ ଖଣି ରାଜସ୍ୱର ଏକ ବଡ଼ ଭୂମିକା ରହିଛି । ବିଶେଷଜ୍ଞଙ୍କ ମତରେ, ଯଦି ଖଣିଜ ଉପରେ ରାଜ୍ୟଗୁଡ଼ିକର ଅତିରିକ୍ତ ରାଜସ୍ୱ ଆଦାୟ କ୍ଷମତା ସୀମିତ ହୁଏ, ତେବେ ଓଡ଼ିଶା ଭଳି ଖଣିଜ ସମ୍ପଦ ଉପରେ ନିର୍ଭରଶୀଳ ରାଜ୍ୟର ଆର୍ଥିକ ଯୋଜନା ପ୍ରଭାବିତ ହୋଇପାରେ ।

ଓଡ଼ିଶା ପାଇଁ ଏହି ପ୍ରସଙ୍ଗ ଆହୁରି ଗୁରୁତ୍ୱପୂର୍ଣ୍ଣ । ଲୁହାପଥର, କୋଇଲା, ବକ୍ସାଇଟ୍‌ ଭଳି ବିଭିନ୍ନ ଖଣିଜ ସମ୍ପଦରେ ଭରପୂର ଓଡ଼ିଶା ଖଣି ରାଜସ୍ୱରୁ ବଡ଼ ଆୟ କରିଥାଏ । ତେଣୁ ନୂଆ ନିୟମ ରାଜ୍ୟର ରାଜସ୍ୱ ଓ ନୀତିଗତ ସ୍ୱାଧୀନତା ଉପରେ କେତେ ପ୍ରଭାବ ପକାଇବ, ତାହା ଏବେ ବଡ଼ ପ୍ରଶ୍ନ । ତେବେ ଏହା କେବଳ ଖଣି ନୀତିରେ ପରିବର୍ତ୍ତନ ନୁହେଁ, ବରଂ କେନ୍ଦ୍ର-ରାଜ୍ୟ ଆର୍ଥିକ ସମ୍ପର୍କ ଓ ରାଜ୍ୟର ରାଜସ୍ୱ ଅଧିକାରକୁ ନେଇ ଏକ ବଡ଼ ଚର୍ଚ୍ଚାର ଆରମ୍ଭ କରିଛି ।

ad-week
Leave A Reply

Your email address will not be published.