
ଭୁବନେଶ୍ୱର : ବାଣୀବିହାର ଲ’ କଲେଜରେ ଛାତ୍ର ଅଶାନ୍ତି । ଅଧ୍ୟକ୍ଷଙ୍କୁ ଘେରିଲେ ଆଇନ ଛାତ୍ରଛାତ୍ରୀ । କ୍ୟାମ୍ପସରେ ଉତ୍ତେଜନା, ବ୍ୟାପକ ପୋଲିସ ମୁତୟନ । ବିଭିନ୍ନ ଦାବି ଏବେ ଅଭିଯୋଗ ନେଇ କଲେଜ ଅଧ୍ୟକ୍ଷଙ୍କ ଅଫିସ ସମ୍ମୁଖରେ ଆନ୍ଦୋଳନ କରିଥିଲେ ଛାତ୍ରଛାତ୍ରୀ । ଅଧ୍ୟକ୍ଷ ଜୁନିୟର ସିନିୟରଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରୁଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ । କାହା ସ୍ବାର୍ଥରେ କଲେଜରେ ପିଲାଙ୍କୁ ୱେଲକମ୍ କରାଯାଉନି କି ଫେରଓ୍ବେଲ୍ ଦିଆଯାଉନି ବୋଲି ପ୍ରଶ୍ନ କରୁଛନ୍ତି ଛାତ୍ରଛାତ୍ରୀ ।
ନା ଗଠନ ହେଉଛି ଷ୍ଟୁଡେଣ୍ଟ କମିଟି ନା ଉନ୍ନତିମୂଳକ କାମ ପାଇଁ ଆସୁଥିବା ଫଣ୍ଡର ସଠିକ୍ ବିନିଯୋଗ ହେଉଛି । ପିଲାଙ୍କୁ ଠିକ୍ ସମୟରେ ମାର୍କସିଟ୍ ମିଳୁନି । ଲାଇବ୍ରେରୀରେ ଆବଶ୍ୟକୀୟ ବହି ମିଳୁନଥିବା ବେଳେ କ୍ଲାସ୍ରୁମରେ ଫ୍ୟାନ୍ ଚାଲୁନି । ଷ୍ଟୁଡେଣ୍ଟ୍ସ ଗ୍ରିଭାନ୍ସ ମଧ୍ୟ କାର୍ଯ୍ୟକ୍ଷମ ହେଉନଥିବା ଅଭିଯୋଗ ଆଣି ଆଜି ଛାତ୍ରଛାତ୍ରୀ ମାନେ ହୋହଲ୍ଲା କରିଛନ୍ତି ।ଏଥି ସହ ଅଧ୍ୟକ୍ଷଙ୍କୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ କଲେଜର ବିଭିନ୍ନ ବିଭାଗର ଅଧ୍ୟାପକ ମାନଙ୍କୁ ନେଇ ବୈଠକ ବସିଥିଲା । ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ଅଭିଯୋଗ ନେଇ ବୈଠକରେ ଆଲୋଚନା ହୋଇଥିଲା । ବୈଠକ ପରେ ଅଧ୍ୟକ୍ଷ କହିଛନ୍ତି ଚାତ୍ରଛାତ୍ରୀଙ୍କ ଦାବି ଉପରେ ବିଚାର ବିମର୍ଷ ଚାଲିଛି । ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ । ପୋଲିସ ପହଞ୍ଚିବା ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ତେବେ ଛାତ୍ରଛାତ୍ରୀଙ୍କ ଦାବି ଉପରେ କର୍ତ୍ତୃପକ୍ଷ କି ପଦକ୍ଷେପ ନେବେ ତାକୁ ଅପେକ୍ଷା । ଦାବି ପୂରଣ ନହେଲେ ଆଗକୁ ବଡ଼ ଛାତ୍ର ଅସନ୍ତୋଷ ମୁଣ୍ଡ ଟେକିବ ବୋଲି ଆଶଙ୍କା କରାଯାଉଛି ।
