
ହରାରେ: ଜିମ୍ବାୱେର କରିବା ହ୍ରଦରେ ୯୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଫେରି ବୁଡ଼ିଯାଇଛି। ଏହି ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୨୭ରୁ ଅଧିକ ନିଖୋଜ ଥିବା ଆଶଙ୍କା କରାଯାଉଛି।
ପୋଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ମଙ୍ଗଳବାର ଦିନ ଜିମ୍ବାୱେର କରିବା ହ୍ରଦରେ ଏହି ବଡ଼ ଦୁର୍ଘଟଣା ଘଟିଛି। ଉତ୍ତର କରିବା ସହର ଏବଂ ଅନେକ ଦ୍ୱୀପପୁଞ୍ଜ ଓ ମାଛ ଧରିବା ଶିବିର ମଧ୍ୟରେ ପରିବହନ ଯୋଗାଉଥିବା ଫେରିଟି ପ୍ରବଳ ଢେଉରେ ଧକ୍କା ଖାଇବା ପରେ ଓଲଟି ପଡ଼ିଛି।
ଅପରପକ୍ଷରେ ୯୦ କ୍ଷମତା ବିଶିଷ୍ଟ ଫେରୀରେ ୧୧୪ ଯାତ୍ରୀ ଯାତ୍ରା କରୁଥିଲେ ବୋଲି କୁହାଯାଉଛି। ତେବେ ୭୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୭ ଜଣ ନିଖୋଜ ରହିଛନ୍ତି। ଏହି ଘଟଣାରେ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଆରମ୍ଭ କରାଯାଇଛି।
କରିବା ହ୍ରଦ ଜିମ୍ବାୱେର ଜାମ୍ବିଆ ସୀମାରେ ଅବସ୍ଥିତ। ଏହା ରାଜଧାନୀ ହରାରେରୁ ୩୦୦ କିଲୋମିଟର (୧୮୫ ମାଇଲ) ରୁ ଅଧିକ ଉତ୍ତର-ପୂର୍ବରେ ରହିଛି। ଏହା ଆୟତନ ଅନୁସାରେ ବିଶ୍ୱର ସବୁଠାରୁ ବଡ଼ ମାନବ ନିର୍ମିତ ହ୍ରଦ।
