ବିପଦ ସଙ୍କେତ ଉପରେ ବୈତରଣୀ ଓ ଜଳକା, ତଳିଆ ଅଞ୍ଚଳ ଉପରେ ନଜର

Independence

ଭୁବନେଶ୍ୱର : ବିପଦ ସଙ୍କେତ ଉପରେ ବୈତରଣୀ-ଜଳକା । ଲଗାଣ ବର୍ଷା ଯୋଗୁ ରାଜ୍ୟର ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ଜଳକାର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି । ଆଜି ସକାଳ ୯ଟା ସୁଦ୍ଧା କେନ୍ଦ୍ରୀୟ ଜଳ ଆୟୋଗର ତଥ୍ୟ ଅନୁସାରେ ୩ଟି ଗେଜ୍ ସାଇଟ୍ ରେ ଏହି ଦୁଇ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିଲା । ଇନ୍ଦୁପୁରଠାରେ ବୈତରଣୀର ବିପଦ ସଙ୍କେତ ୮.୨୩ ମିଟର ଥିବାବେଳେ ଜଳସ୍ତର ୮.୭୪ ମିଟରରେ ପହଞ୍ଚିଛି । ଅର୍ଥାତ୍ ବିପଦ ସଙ୍କେତଠାରୁ ୦.୫୧ ମିଟର ଉପରେ ନଦୀ ପ୍ରବାହିତ ହେଉଛି ।

ଅନ୍ୟପଟେ ଆଖୁଆପଦାରେ ବୈତରଣୀର ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ନଦୀ ଏହାଠାରୁ ୦.୯୮ ମିଟର ଉପରେ ରହିଛି । ତେବେ ଆଶ୍ୱସ୍ତିର କଥା ହେଉଛି, ଏଠାରେ ଜଳସ୍ତର ହ୍ରାସ ପାଉଛି । ସେହିପରି ମଥାନୀ ରୋଡ୍ ବ୍ରିଜ୍ ଠାରେ ଜଳକା ନଦୀର ଜଳସ୍ତର ୬.୯୦ ମିଟର ରହିଛି । ଏଠାରେ ବିପଦ ସଙ୍କେତ ୬.୫୦ ମିଟର ।  ଅର୍ଥାତ୍ ଜଳକା ୦.୪୦ ମିଟର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ତେବେ ଏଠାରେ ଜଳସ୍ତର ସ୍ଥିର ରହିଛି । ରାଜ୍ୟର ଅନ୍ୟ ପ୍ରମୁଖ ନଦୀ ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ଋଷିକୁଲ୍ୟା, ବଂଶଧାରା, ଦେବୀ, କୁଶଭଦ୍ରା ଓ ବୁଢ଼ାବଳଙ୍ଗ ମନିଟରିଂ ହେଉଥିବା ସ୍ଥାନଗୁଡ଼ିକରେ ବିପଦ ସଙ୍କେତ ତଳେ ରହିଛି । ଖଇରମାଳଠାରେ ମହାନଦୀ ବିପଦ ସଙ୍କେତଠାରୁ ୫.୬୭ ମିଟର ତଳେ ଥିବାବେଳେ ନରାଜଠାରେ ୨.୯୩ ମିଟର ତଳେ ରହିଛି । ପାନପୋଷ, ତାଳଚେର ଓ ଜେନାପୁରଠାରେ ବ୍ରାହ୍ମଣୀ ମଧ୍ୟ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଅଧିକାଂଶ ନଦୀରେ ଜଳସ୍ତର ସ୍ଥିର ଓ ହ୍ରାସ ହେଉଥିବାରୁ ସାମଗ୍ରିକ ଭାବେ ସ୍ଥିତି ନିୟନ୍ତ୍ରଣରେ ରହିଛି । ତେବେ ବୈତରଣୀ ଓ ଜଳକା ବିପଦ ସଙ୍କେତ ଉପରେ ଥିବାରୁ ସମ୍ପୃକ୍ତ ଅଞ୍ଚଳର ନଦୀକୂଳ ଓ ତଳିଆ ଅଞ୍ଚଳ ଉପରେ ନଜର ରହିଛି ।

ad-week
Leave A Reply

Your email address will not be published.