ସିରିଆ ଏୟାରବେସରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍

Independence

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ବଢ଼ିଲା ଉତ୍ତେଜନା । ସିରିଆ ଏୟାରବେସରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ । ସିରିଆର ଉତ୍ତର-ପଶ୍ଚିମ ଇଦଲିବ୍ ପ୍ରଦେଶର ଆବୁ ଅଲ୍-ଦୁହୁର୍ (Abu al-Duhur) ସାମରିକ ଏୟାରବେସ୍ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍ କରିଥିବା ସିରିଆ ସରକାରୀ ଗଣମାଧ୍ୟମ କହିଛି । ଆମେରିକା ଇସ୍ରାଏଲୀ ଆକ୍ରମଣ ବୋଲି କହି ଏହାକୁ “ଅନାବଶ୍ୟକ ଉତ୍ତେଜନା” ବୋଲି ସମାଲୋଚନା କରିଛନ୍ତି । କାଲି ଭୋରରେ ଏୟାରବେସ୍ ଉପରେ ୮ଟି ଏୟାରଷ୍ଟ୍ରାଇକ୍ ହୋଇଥିବା ଜଣାପଡିଛି। ମୁଖ୍ୟତଃ ରନୱେ ଓ ଷ୍ଟୋରେଜ୍ ସୁବିଧାକୁ ଟାର୍ଗେଟ୍ କରାଯାଇଥିଲା । ଆକ୍ରମଣରେ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ କୌଣସି ମୃତାହତ ହୋଇନଥିବା ରିପୋର୍ଟ ମିଳିଛି ।

ଏହି ଏୟାରବେସ୍ ତୁର୍କୀ ସୀମାଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ରହିଛି ଏବଂ ଦୀର୍ଘ ବର୍ଷ ଧରି ସକ୍ରିୟ ଭାବେ ବ୍ୟବହୃତ ହୋଇନଥିଲା । ଆକ୍ରମଣ ପୂର୍ବରୁ ତୁର୍କୀର ଏକ ସାମରିକ ପ୍ରତିନିଧି ଦଳ ଏହି ଏୟାରବେସ୍ ପରିଦର୍ଶନ କରି ଏହାକୁ ପୁଣି ସକ୍ରିୟ କରିବା ସମ୍ଭାବନା ନେଇ ଆଲୋଚନା କରିଥିବା ରିପୋର୍ଟ ରହିଛି। ଆକ୍ରମଣ ପଛରେ ସିରିଆରେ ତୁର୍କୀର ବଢ଼ୁଥିବା ସାମରିକ ଉପସ୍ଥିତିକୁ ନେଇ ଇସ୍ରାଏଲର ଚିନ୍ତା ଥିବା କୁହାଯାଉଛି। ଇସ୍ରାଏଲ ପକ୍ଷ ଆମେରିକାକୁ କହିଥିବା ଅନୁସାରେ, ତୁର୍କୀ ସେନାକୁ ଏହି ଏୟାରବେସ୍ ରେ ମୁତୟନ କରିବାକୁ ଦିଆଗଲେ ତାହା ସୁରକ୍ଷା ସମ୍ପର୍କିତ ବର୍ତ୍ତମାନର ବ୍ୟବସ୍ଥାକୁ ପ୍ରଭାବିତ କରିଥାନ୍ତା। ତେବେ ତୁର୍କୀ ପକ୍ଷରୁ ସେଠାରେ ସେନା ମୁତୟନ ଯୋଜନା ସମ୍ପର୍କରେ ନିଶ୍ଚିତ କରାଯାଇନାହିଁ । ଘଟଣାକୁ ନେଇ ୱାଶିଂଟନ୍ ର ପ୍ରତିକ୍ରିୟା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଟମ୍ ବାରାକ୍ କହିଛନ୍ତି, ଆବୁ ଅଲ୍-ଦୁହୁର୍ ଏୟାରବେସ୍ ରେ ଇସ୍ରାଏଲର ଆକ୍ରମଣକୁ ନେଇ ଆମେରିକା ଗଭୀର ଚିନ୍ତିତ । ଏଭଳି ପଦକ୍ଷେପ ଆଞ୍ଚଳିକ ସ୍ଥିରତାକୁ ଆଗକୁ ନେବା ବଦଳରେ ଅନାବଶ୍ୟକ ଭାବେ ଉତ୍ତେଜନା ବଢ଼ାଉଛି ବୋଲି ସେ କହିଛନ୍ତି । ଆମେରିକା ସାମରିକ ପଦକ୍ଷେପ ବଦଳରେ ସଂଯମ ଓ ଆଲୋଚନାକୁ ଗୁରୁତ୍ୱ ଦେବାକୁ ସମସ୍ତ ପକ୍ଷକୁ ଆହ୍ୱାନ କରିଛି । ସିରିଆ ଏହି ଆକ୍ରମଣକୁ ନିଜର ସାର୍ବଭୌମତ୍ୱ ଓ ଭୌଗୋଳିକ ଅଖଣ୍ଡତାର ଉଲ୍ଲଂଘନ ବୋଲି କହିଛି ।

ତୁର୍କୀ ମଧ୍ୟ ଏହାକୁ ତୀବ୍ର ନିନ୍ଦା କରିଛି । ଏହାସହ ସାଉଦି ଆରବ, ଇଜିପ୍ଟ, ଜୋର୍ଡାନ୍ , କତାର ଓ କୁଏତ ଭଳି ଦେଶ ମଧ୍ୟ ଆକ୍ରମଣକୁ ନିନ୍ଦା କରି ଏଭଳି ପଦକ୍ଷେପ ଅଞ୍ଚଳରେ ଆହୁରି ଅସ୍ଥିରତା ସୃଷ୍ଟି କରିପାରେ ବୋଲି ସତର୍କ କରିଛନ୍ତି । ଏହାପରେ ଆମେରିକା ତୁର୍କୀ, ଇସ୍ରାଏଲ ଓ ସିରିଆ ମଧ୍ୟରେ ଏକ ସାମରିକ ଭୁଲ୍ ବୁଝାମଣା ଓ ଅନିଚ୍ଛାକୃତ ସଂଘର୍ଷ ଏଡ଼ାଇବା ପାଇଁ ଯୋଗାଯୋଗ ବ୍ୟବସ୍ଥା ତିଆରି ଦିଗରେ କାମ କରୁଥିବା ବାରାକ୍ କହିଛନ୍ତି ।

ad-week
Leave A Reply

Your email address will not be published.