
ନୂଆଦିଲ୍ଲୀ : କେନିଆର ସାମ୍ବୁରୁ କାଉଣ୍ଟିରେ ଏକ ପର୍ଯ୍ୟଟକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ଇକ୍ୱାଡୋରର ଗୁଇନ୍ଦା ମୁଖ୍ୟ ମିକେଲ ସେନ୍ସି-କୋଣ୍ଟୁଗି, ତାଙ୍କ ପତ୍ନୀଙ୍କ ସମେତ ମୋଟ ୭ ଜଣଙ୍କ ମୃତ୍ୟୁ ଘଟିଛି । କେନିଆ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ (କେସିଏଏ) ଅନୁଯାୟୀ, ସ୍ଥାନୀୟ ସମୟ ପୂର୍ବାହ୍ନ ପ୍ରାୟ ୯ଟା ୧୩ ସମୟରେ ଏହି ଭୟଙ୍କର ବିମାନ ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରେ ୫ ଜଣ ଆମେରିକୀୟ ନାଗରିକ ରହିଥିବା ଜଣାପଡିଛି । ହେଲିକପ୍ଟର କ୍ରାସର ଯାଞ୍ଚ ଚାଲିଛି ।
ସାମ୍ବୁରୁ ପୋଲିସ କମାଣ୍ଡର ଡେଭିଡ ନକୋରୋଇ କହିବା ମୁତାବକ, ଚାର୍ଟର୍ଡ ହେଲିକପ୍ଟରଟି ସକାଳେ ଲୋଇସାବା ବନ୍ୟପ୍ରାଣୀ ସଂରକ୍ଷଣରୁ ଉଡ଼ାଣ ଆରମ୍ଭ କରିଥିଲା । ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରୁ ସାତ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି । ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ଆମେରିକୀୟ ନାଗରିକ, ଜଣେ ଇକ୍ୱେଡରର ବରିଷ୍ଠ ଅଧିକାରୀ ଏବଂ ଜଣେ ପ୍ରମୁଖ ଆମେରିକୀୟ ସାମ୍ବାଦିକ ରହିଛନ୍ତି ।
କେନିଆର ସ୍ଥାନୀୟ କର୍ତ୍ତୃପକ୍ଷ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଏବଂ ସମବେଦନା ପ୍ରକାଶ କରିଛନ୍ତି । ହେଲିକପ୍ଟର ଦେଶର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ମାଉଣ୍ଟ ଓଲୋଲୋକୱେର ତଲହଟିର ଏକ ଦୁର୍ଗମ ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଛି । ଉଦ୍ଧାର ପାଇଁ ଦୁଇଟି ହେଲିକପ୍ଟର ପଠାଯାଇଛି । ଉଦ୍ଧାରକାରୀ ଦଳ ଦୁର୍ଘଟଣାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ସୂଚନାଯୋଗ୍ୟ, ଫେବ୍ରୁଆରୀରେ ପଶ୍ଚିମ କେନିୟାରେ ପାହାଡି ଅଞ୍ଚଳରେ ଏକ ହେଲିକପ୍ଟର କ୍ରାସ୍ ହୋଇଥିଲା । ଏହି ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଥିଲା । ସାମ୍ବୁରୁ କାଉଣ୍ଟିକୁ କେନିଆର ସବୁଠାରୁ ସୁନ୍ଦର ବନ୍ୟପ୍ରାଣୀ ଏବଂ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ଏହା ପ୍ରତିବର୍ଷ ହଜାର ହଜାର ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।
