
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଣି କରିଛନ୍ତି । ବୟସ ବଢିବାର ଅର୍ଥ ନୁହେଁ ଯେ, ଅପମାନ ହେବା । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନ ସାରା ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି । ଯଦି ବାପା-ମାଙ୍କ ସୁରକ୍ଷାରେ କିମ୍ବା ଭରଣପୋଷଣରେ କୌଣସି ସମସ୍ୟା ହୁଏ ତେବେ ସମ୍ପତ୍ତି ସନ୍ତାନମାନଙ୍କୁ ସେମାନଙ୍କ ସମ୍ପତ୍ତିରୁ ବାହାର କରିପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଏନେଇ ଟ୍ରାଇବ୍ୟୁନାଲ ମଧ୍ୟ ନିର୍ଦ୍ଦେଶ ଦେଇପାରିବେ । ରବିକାନ୍ତ ଗୁପ୍ତାଙ୍କ ଦ୍ବାରା ଦାଖଲ କରାଯାଇଥିବା ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି । ଆବେଦନକାରୀ ହାଇକୋର୍ଟଙ୍କ ରାୟ ବିରୋଧରେ ଆବେଦନ କରିଥିଲେ । ଏଥିରେ ପୁଅ ଓ ବୋହୂଙ୍କୁ ଘରୁ ବାହାର କରିବା ନେଇ ଏସଡିଏମ ଓ ଜିଲା ମାଜିଷ୍ଟ୍ରେଟ ଦେଇଥିବା ନିର୍ଦେଶକୁ ଖାରଜ କରିଦିଆଯାଇଥିଲା ।
ସୂଚନା ଅନୁଯାୟୀ, ମାଆଙ୍କୁ ଘରେ ରହିବାକୁ ପୁଅ ଦେଇ ନ ଥିଲେ । ଏଥିପାଇଁ ଘରେ ଅଶାନ୍ତି ସୃଷ୍ଟି କରିଥିଲା । ପୁଅର ବ୍ୟବହାରରେ ଅତିଷ୍ଠ ହୋଇ ରବିଙ୍କ ୮୧ ବର୍ଷୀୟ ମାଆଙ୍କୁ ବୃଦ୍ଧାଶ୍ରମରେ ରହିବାକୁ ପଡ଼ିଥିଲା । ଏସଡିଏମ ଓ ଜିଲ୍ଲା ମାଜିଷ୍ଟ୍ରେଟ ପୁଅବୋହୂଙ୍କୁ ସମ୍ପତ୍ତିରୁ ବେଦଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ପରେ ହାଇକୋର୍ଟ ଏହାକୁ ରଦ୍ଦ କରିଦେଇଥିଲେ । ‘ଅଭିଭାବକ ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଏବଂ କଲ୍ୟାଣ ଆଇନ-୨୦୦୭’ରେ ପୁଅକୁ ବେଦଖଲ କରିବାର ନିୟମ ନଥିବା କହିଥିଲେ । ପରେ ଏହି ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚି ଥିଲା ।
ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ ଯେ, ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଟ୍ରାଇବ୍ୟୁନାଲ ବେଦଖଲ ନିର୍ଦେଶ ଦେଇପାରନ୍ତି । ତେବେ ସବୁ ବିବାଦରେ ପୁଅବୋହୂଙ୍କୁ ସମ୍ପତ୍ତିରୁ ବେଦଖଲ କରାଯାଇପାରିବ ନାହିଁ । ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ଭରଣପୋଷଣ ପାଇଁ ଜରୁରୀ ହେଲେ ଏପରି ପଦକ୍ଷେପ ନେଇ ହେବ। ଖଣ୍ଡପୀଠ କହିଥିଲେ ଯେ ୨୦୦୭ ଆଇନର ଧାରା ୭ ଅଧୀନରେ ଭରଣପୋଷଣ ଟ୍ରାଇବ୍ୟୁନାଲ ଗଠନ କରାଯାଇଛି । ଧାରା-୮ରେ କିଛି ମାମଲାରେ ଟ୍ରାଇବ୍ୟୁନାଲଙ୍କୁ ସିଭିଲ କୋର୍ଟ ଭଳି କ୍ଷମତା ପ୍ରଦାନ କରାଯାଇଛି । ସେହିପରି ଧାରା ୨୭ ସିଭିଲ କୋର୍ଟର ଅଧିକାରକୁ ସୀମିତ କରୁଛି । ଏଭଳି ସ୍ଥିତିରେ ଆଇନର ଉଦ୍ଦେଶ୍ୟ ପୂରଣ ପାଇଁ ଟ୍ରାଇବ୍ୟୁନାଲ ଜରୁରୀ ନିର୍ଦେଶ ଜାରି କରିପାରିବେ ।
