
ଜୟପୁର : ରାଜସ୍ଥାନର ଜୟପୁରରେ CJP କର୍ମୀଙ୍କୁ ଆକ୍ରମଣ କରିଛନ୍ତି ଗ୍ରାମବାସୀ । CJP କର୍ମୀଙ୍କୁ ଠେଲାପେଲା କରିବା ସହ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ଗ୍ରାମବାସୀ । ରାଜସ୍ଥାନ ଜୟପୁରର ରାମପୁରା କନୱରପୁରାଠାରେ ଥିବା ଏକ ସରକାରୀ ସ୍କୁଲ ପରିଦର୍ଶନ ସମୟରେ କୋକ୍ରୋଚ୍ ଜନତା ପାର୍ଟିର ଯୁବକର୍ମୀମାନଙ୍କୁ ସ୍ଥାନୀୟ ଲୋକ ଆକ୍ରମଣ କରିଛନ୍ତି । ସ୍ଥାନୀୟ ଗ୍ରାମବାସୀ ଅନେକ ଦୂର ଯାଏଁ ସିଜେପି କର୍ମକର୍ତ୍ତାଙ୍କୁ ପିଛା କରିବା ସହିତ ସେମାନଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ । ସରକାରୀ ସ୍କୁଲର ଭିତ୍ତିଭୂମି ଯାଞ୍ଚ କରୁଥିବା ସମୟରେ ଅଭାବନୀୟ କାଣ୍ଡ ।
ରାଜନୈତିକ କର୍ମୀ ଏବଂ ବାହାର ଲୋକଙ୍କ ହସ୍ତକ୍ଷେପକୁ ବିରୋଧ କରୁଥିବା ଗ୍ରାମବାସୀଙ୍କ ମଧ୍ୟରେ ବିବାଦର ରୂପ ନେଇଥିଲା । CJP ର ଏକ ଦଳ ସେହି ସ୍କୁଲକୁ ଯାଞ୍ଚ କରିବାକୁ ଯାଇଥିଲେ । ସେମାନଙ୍କ ଦାବି ଅନୁସାରେ, ସ୍କୁଲର ମୁଖ୍ୟ ବିଲ୍ଡିଂଟି ବିପଜ୍ଜନକ ଥିବାରୁ ବର୍ଷେ ହେବ ଗାଈ ଗୁହାଳରେ ପିଲାମାନେ ପାଠ ପଢୁଥିଲେ । ସ୍କୁଲରେ ପହଞ୍ଚିବା ମାତ୍ରେ କର୍ମୀମାନଙ୍କୁ ତୀବ୍ର ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । ଲୋକମାନେ ସେମାନଙ୍କୁ ଠେଲାପେଲା କରିବା ସହ ପଥର ମାଡ଼ କରିଥିଲେ । ସେମାନଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ ଆକ୍ରମଣକାରୀ ।
CJPର ସହ ସଂଯୋଜକ ଆଶୁତୋଷ ରାଙ୍କା ଅଭିଯୋଗ, ଆକ୍ରମଣକାରୀମାନେ ସ୍ଥାନୀୟ ଲୋକ ନୁହନ୍ତି, ବରଂ ସେମାନଙ୍କ ଅଡିଟକୁ ରୋକିବା ପାଇଁ ପଠାଯାଇଥିବା ବିଜେପି-ଆରଏସଏସର ଗୁଣ୍ଡା । ଦେଶବ୍ୟାପୀ ସ୍କୁଲ ଠିକ୍ କରୋ ଅଭିଯାନ ଅଧୀନରେ ସ୍କୁଲର ଖରାପ ଅବସ୍ଥାର ଭିଡିଓ ରେକର୍ଡ କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା ବୋଲି ଦଳ କହିଛି । ଆକ୍ରମଣ ସମୟରେ ସ୍ଥାନୀୟ ରାଜସ୍ଥାନ ପୋଲିସ କେବଳ ନୀରବଦ୍ରଷ୍ଟା ସାଜି ରହିଥିଲା ବୋଲି CJP ନେତୃତ୍ୱ ଅଭିଯୋଗ କରିଛନ୍ତି ।
ଗ୍ରାମବାସୀମାନେ ନିଜକୁ କୌଣସି ରାଜନୈତିକ ଦଳର ଗୁଣ୍ଡା ବୋଲି ମାନିବାକୁ ମନା କରିଛନ୍ତି । ନିଜ ଗାଁ ସ୍କୁଲକୁ ନେଇ ରାଜନୀତି ନକରିବା ପାଇଁ ସେମାନେ ସେହି ଦଳକୁ ସେଠାରୁ ଘଉଡ଼ାଇ ଦେଇଥିଲେ ବୋଲି କହିଛନ୍ତି । ସ୍କୁଲ କୋଠାଟି ଜରାଜୀର୍ଣ୍ଣ ଥିବା ଗ୍ରାମବାସୀ ସ୍ୱୀକାର କରିଛନ୍ତି । କିନ୍ତୁ ସେମାନେ କହିଛନ୍ତି ଯେ, ପିଲାମାନଙ୍କ ସୁରକ୍ଷା ପାଇଁ ଗାଁ ଲୋକଙ୍କ ଦ୍ୱାରା ଦିଆଯାଇଥିବା ଅନ୍ୟ ଦୁଇଟି କୋଠରୀରେ ୨୦-୩୦ ପିଲା ସୁରକ୍ଷିତ ଭାବେ ପାଠ ପଢୁଛନ୍ତି ।
