
ଛତିଶଗଡ଼: ଛତିଶଗଡ଼ର ଦୁର୍ଗରେ ଇନ୍ଦିରା ଗାନ୍ଧୀ କୃଷି ବିଶ୍ୱବିଦ୍ୟାଳୟ (IGKV)ର ବିଏସ୍ସି ଏଣ୍ଟୋମୋଲୋଜି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜଣେ ପ୍ରଫେସରଙ୍କ ସମେତ ୫ ଜଣ ଛାତ୍ର ଗିରଫ । ପୋଲିସର ସୂଚନା ଅନୁଯାୟୀ, ପ୍ରଫେସର ଜଣକ ଗୋପନୀୟ ଭାବେ ସିଲ୍ ହୋଇଥିବା ଲଫାଫା ଖୋଲି ଏକ ଏଣ୍ଡୋସ୍କୋପିକ୍ କ୍ୟାମେରା ସାହାଯ୍ୟରେ ପ୍ରଶ୍ନପତ୍ରର ଫଟୋ ଉଠାଇଥିଲେ ।
ଦ୍ୱିତୀୟ ବର୍ଷ ବିଏସ୍ସି କୃଷି ଏଣ୍ଟୋମୋଲୋଜି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଖବର ମିଳିବା ପରେ ଅଗଷ୍ଟ ୨୦ରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ଏହି ପରୀକ୍ଷା ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ IGKV ଅଧୀନରେ ଥିବା ୨୮ଟି କୃଷି ମହାବିଦ୍ୟାଳୟରେ ହେବାକୁ ଥିଲା । ଡେପୁଟି କମିଶନର ଅଫ୍ ପୋଲିସ୍ ସ୍ମୃତିକ ରାଜନାଲା କହିଛନ୍ତି ଯେ, ଅଭିଯୋଗ ମିଳିବାର ୩୬ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା । ପୋଲିସ୍ ଲିକ୍ ହୋଇଥିବା ପ୍ରଶ୍ନପତ୍ର, ସ୍କ୍ରିନ୍ସଟ୍, ଫଟୋ, ମେସେଜ୍ ଏବଂ ସୋସିଆଲ ମିଡିଆ ପୋଷ୍ଟଗୁଡ଼ିକୁ ଯାଞ୍ଚ କରିଥିଲା । ତଦନ୍ତ ପରେ ଏହି ପ୍ରଶ୍ନପତ୍ର ଦୁର୍ଗର ଛାତ୍ର ଅନୁଜ ମିଞ୍ଜଙ୍କ ମାଧ୍ୟମରେ ପ୍ରସାରିତ ହୋଇଥିବା ଜଣାପଡ଼ିଥିଲା ।
ଏହାପରେ ପୋଲିସ୍ ଦୁର୍ଗସ୍ଥିତ ଭାରତୀ ଏଗ୍ରିକଲ୍ଚର କଲେଜର ପ୍ରଫେସର ଯୋଗେଶ ସୋନକେସରିୟାଙ୍କ ସମେତ ୫ ଜଣ ଛାତ୍ରଙ୍କୁ ଗିରଫ କରିଥିଲା । IGKVର ସ୍ନାତକ ପରୀକ୍ଷା ସେଲ୍ର ଇନ୍ଚାର୍ଜ ତଥା ବରିଷ୍ଠ ବୈଜ୍ଞାନିକ ଏନ୍.ଆର୍. ରଙ୍ଗାରେଙ୍କ ଦ୍ୱାରା ଦାଖଲ ଅଭିଯୋଗ ଅନୁଯାୟୀ, ଅଗଷ୍ଟ ୨୦ ତାରିଖ ସକାଳ ୮ଟା ୪୧ ମିନିଟ୍ରେ କୱାର୍ଧାସ୍ଥିତ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ରକୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଏକ ଇମେଲ୍ ମିଳିଥିଲା । ସକାଳ ୮ଟା ୫୪ ମିନିଟ୍ରେ ବିଶ୍ୱବିଦ୍ୟାଳୟର ଅନ୍ୟ ଅଧିକାରୀମାନେ ମଧ୍ୟ ସମାନ ଇମେଲ୍ ପାଇଥିଲେ ।
ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପ୍ରତିନିଧିମାନେ ମଧ୍ୟ ହ୍ୱାଟ୍ସଆପ୍ ମାଧ୍ୟମରେ ବିଶ୍ୱବିଦ୍ୟାଳୟକୁ ସୂଚନା ଦେଇଥିଲେ । ପରୀକ୍ଷାରେ ଆସିବାକୁ ଥିବା କିଛି ପ୍ରଶ୍ନ ହ୍ୱାଟ୍ସଆପ୍ରେ ଘୁରିବୁଲୁଥିବା ନେଇ ସେମାନେ ଅଧିକାରୀଙ୍କୁ ଜଣାଇଥିଲେ । ପୋଲିସର କହିବା ଅନୁଯାୟୀ, ପ୍ରଫେସର ଏଣ୍ଡୋସ୍କୋପିକ୍ କ୍ୟାମେରାରେ ଉଠାଇଥିବା ପ୍ରଶ୍ନପତ୍ରକୁ ୧୧,୦୦୦ ଟଙ୍କାରେ ଅଜୟ ନାୟକ ଓ ଅନ୍ୟ ଦୁଇ ଛାତ୍ରଙ୍କୁ ବିକ୍ରି କରିଥିଲେ । ଏହାପରେ ପ୍ରଶ୍ନ ଗୁଡ଼ିକୁ ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟ ପ୍ରସାରିତ କରାଯାଇଥିଲା ।
