ଦିଲ୍ଲୀରେ H1N1ର ଆତଙ୍କ, ଆଡଭାଇଜରି ଜାରି କଲା ସ୍ବାସ୍ଥ୍ୟ ବିଭାଗ

Independence

ନୂଆଦିଲ୍ଲୀ: ଦିଲ୍ଲୀରେ H1N1 (ସ୍ୱାଇନ୍ ଫ୍ଲୁ) ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଚଳିତ ବର୍ଷ ଦିଲ୍ଲୀରେ ଏଯାଏଁ ୧,୭୭୭ଟି H1N1 ମାମଲା ରିପୋର୍ଟ ହୋଇଛି । ମୋଟ ଇନ୍‌ଫ୍ଲୁଏଞ୍ଜା-A ମାମଲା ମଧ୍ୟ ୨,୩୦୦ରୁ ଅଧିକ ରହିଛି । ବଢୁଥିବା ଏହି ମାମଲାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ସତର୍କ ରହିବାକୁ ଆଡଭାଇଜରି ଜାରି କରିଛି ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, H1N1ର ସାଧାରଣ ଲକ୍ଷଣ ମଧ୍ୟରେ ଜ୍ୱର, କାଶ, ଗଳା ଦରଜ, ଶରୀରରେ ବେଦନା, ଥଣ୍ଡା ଲାଗିବା ଓ ଦୁର୍ବଳତା ଭଳି ସମସ୍ୟା ଦେଖାଯାଇପାରେ । କିଛି ଗୁରୁତର କ୍ଷେତ୍ରରେ ଶ୍ୱାସ ନେବାରେ କଷ୍ଟ ହେବା, ନିମୋନିଆ କିମ୍ବା ଅକ୍ସିଜେନ୍ ସ୍ତର କମିବା ଭଳି ଜଟିଳତା ଦେଖା ଦେଇପାରେ । ତେଣୁ ଏହି କାଶ କିମ୍ବା ଛିଙ୍କ ସମୟରେ ମୁହଁ ଏବଂ ନାକକୁ ଘୋଡାନ୍ତୁ, ସାବୁନ ଏବଂ ପାଣିରେ ବାରମ୍ବାର ହାତ ଧୋଇଦିଅନ୍ତୁ, ଏବଂ ଭିଡ଼ ସ୍ଥାନରେ ମାସ୍କ ପିନ୍ଧନ୍ତୁ। ଶ୍ୱାସକ୍ରିୟା ରୋଗରେ ପୀଡିତ ଲୋକଙ୍କ ସହିତ ନିକଟ ସମ୍ପର୍କ ଏଡାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସେମାନଙ୍କୁ ଆଖି ଏବଂ ନାକକୁ ଛୁଇଁବା, ସାର୍ବଜନୀନ ସ୍ଥାନରେ ଛେପ ନ ପକାଇବାକୁ ଏବଂ ପ୍ରଚୁର ପରିମାଣର ତରଳ ପଦାର୍ଥ ଜିନିଷ ପିଇବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଏହି ସବୁ ଲକ୍ଷଣ ଦେଖାଦେଉଥିଲେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ନଖାଇବାକୁ ସ୍ବାସ୍ଥ୍ୟ ବିଭାଗ ଅନୁରୋଧ କରିଛି । ବିଶେଷକରି ଛୋଟ ଶିଶୁ, ବୃଦ୍ଧ, ଗର୍ଭବତୀ ମହିଳା ଏବଂ ପୂର୍ବରୁ ଅନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଅଧିକ ସତର୍କ ରହିବାକୁ ମଧ୍ୟ କୁହାଯାଇଛି ।

ଅନ୍ୟପଟେ ଦିଲ୍ଲୀର ସରକାରୀ ହସ୍ପିଟାଲଗୁଡ଼ିକରେ ଇନ୍‌ଫ୍ଲୁଏଞ୍ଜା ରୋଗୀଙ୍କ ପାଇଁ ଆବଶ୍ୟକ ପ୍ରସ୍ତୁତି ବଢ଼ାଯାଇଛି । ଅଧିକାରୀମାନେ ସ୍ଥିତି ଉପରେ ନିୟମିତ ନଜର ରଖିବା ସହ ଶୀଘ୍ର ଚିହ୍ନଟ, ଚିକିତ୍ସା ଓ ନିରୀକ୍ଷଣ ବ୍ୟବସ୍ଥାକୁ ମଜବୁତ କରୁଛନ୍ତି । ତେଣୁ ଦିଲ୍ଲୀରେ ବଢ଼ୁଥିବା H1N1 ମାମଲା ମଧ୍ୟରେ ଭୟଭୀତ ହେବା ଅପେକ୍ଷା ସଚେତନ ରହିବା ଅଧିକ ଜରୁରୀ । ଫ୍ଲୁର ଲକ୍ଷଣକୁ ଅଣଦେଖା ନକରି ଡାକ୍ତରଙ୍କୁ ଦେଖାଇବା ଏବଂ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ମାନିବା ହିଁ ଏବେ ସବୁଠାରୁ ବଡ଼ ସତର୍କତା ।

ad-week
Leave A Reply

Your email address will not be published.