
ବିନିକା : ଆମ୍ବୁଲାନ୍ସ ଆସିବାରେ ବିଳମ୍ବକୁ ନେଇ ମେଡିକାଲରେ ଉତ୍ତେଜନା । ରୋଗୀଙ୍କ ସମ୍ପର୍କୀୟମାନେ ମେଡିକାଲରେ ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାଟି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅଞ୍ଚଳର ।
ଘଟଣା ମୁତାବକ, ଭବାନୀ ଶଙ୍କର ବେହେରା ପାରିବାରିକ କଳହ ଯୋଗୁଁ ନିଜ ଜୀବନ ନେବାକୁ ଚେଷ୍ଟା କରିଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଭବାନୀଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ରେଫର କରିଥିଲେ ଡାକ୍ତର ।
ଭବାନୀଙ୍କୁ ବୁର୍ଲା ନେବା ପାଇଁ ଡୁଙ୍ଗୁରିପାଲି ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ସରୋଜ ସେଠ ଏବଂ ରୋଗୀଙ୍କ ସମ୍ପର୍କୀୟମାନେ ବାରମ୍ବାର ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ହେଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା । ପରିସ୍ଥିତିକୁ ଦେଖି ଡାକ୍ତର ସେଠ ଶେଷରେ ଏକ ଘରୋଇ ଗାଡ଼ିରେ ରୋଗୀଙ୍କୁ ବୁର୍ଲା ପଠାଇବାର ବ୍ୟବସ୍ଥା କରିଥିଲେ ।
ଏହି ସମୟରେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ କାହିଁକି ହେଉଛି ବୋଲି ରୋଗୀଙ୍କ ସମ୍ପର୍କୀୟମାନେ କାର୍ଯ୍ୟରତ ଡାକ୍ତରଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହାସହ ମେଡିକାଲରେ ଥିବା ଟେବୁଲ ଓ ଚୌକି ଫିଙ୍ଗିବା ସହ ଔଷଧ ବିତରଣ କେନ୍ଦ୍ରର କାଚ ଭାଙ୍ଗି ଦେଇଥିଲେ । ଏହାକୁ ଡୁଙ୍ଗୁରିପାଲିର ବିପ୍ରଚରଣ ସାହୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।
ଘଟଣା ସମ୍ପର୍କରେ ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ସରୋଜ ସେଠ ଡୁଙ୍ଗୁରିପାଲି ଥାନାକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ କରିଥିଲା । ଭଙ୍ଗାରୁଜା ଏବଂ ଆକ୍ରମଣ ଅଭିଯୋଗରେ ଟୁନା ଗୁରୁ, ଶଙ୍କର ଗୁରୁ ଓ ଲୋଚନ ଗୁରୁଙ୍କୁ ପୋଲିସ ଗିରଫ କରିଛି । ପରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
