
ବାଙ୍ଗିରିପୋଷି: ବାଙ୍ଗିରିପୋଷିରେ ଚାଞ୍ଚଲ୍ୟ । ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ୱାମୀ ଜୀବନ ହାରିବାକୁ ଉଦ୍ୟମ କରିବା ପରେ ସେ ଗୁରୁତର ଅଛନ୍ତି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ଜାମଦାପାଳ ଗ୍ରାମରେ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀଙ୍କୁ ଆକ୍ରମଣ କରି ନୃଶଂସ ଭାବେ ହତ୍ୟା କରିବା ପରେ ସ୍ୱାମୀ ନିଜେ ଜୀବନ ହାରିବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ହେଲେ ଟୁନି ସିଂହ ଏବଂ ଅଭିଯୁକ୍ତ ସ୍ୱାମୀ ହେଲେ ବୈଦ୍ୟନାଥ ସିଂହ ।
ପୋଲିସ ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଦମ୍ପତିଙ୍କ ପୁଅ ଭଗତ ସିଂହ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ‘୧୧୨’କୁ ଫୋନ୍ କରି ତାଙ୍କ ବାପା ବୈଦ୍ୟନାଥ ମାଆଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ବିଷୟରେ ଜଣାଇଥିଲେ । ଖବର ପାଇ ବାଙ୍ଗିରିପୋଷି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଟୁନି ସିଂହଙ୍କ ମୃତଦେହ ଉଦ୍ଧାର କରିଥିଲା ।
ଅନ୍ୟପକ୍ଷରେ, ଅଭିଯୁକ୍ତ ବୈଦ୍ୟନାଥ ନିଜ ଜୀବନ ହାରିବାକୁ ଉଦ୍ୟମ କରି ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ପୋଲିସ ଦେଖିବାକୁ ପାଇଥିଲା। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଏସ୍କର୍ଟରେ ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଏହି ଘଟଣାକୁ ନେଇ ବାଙ୍ଗିରିପୋଷି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।
