
ନୟାଗଡ଼ : ନୟାଗଡ଼ ସ୍ବାସ୍ଥ୍ୟ ପ୍ରଶାସନର ଅପାରଗତା ପାଇଁ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଦୀନେଶ ଖଟୁଆ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଅଲଟ୍ରାସାଉଣ୍ଡ କରୁଥିବାର ଆଜି କଂଗ୍ରେସ ଟିମ୍ ଦ୍ଵାରା ନୟାଗଡ଼ ଲାଇଫ କେୟାର ଡ଼ାଇଗ୍ନୋଷ୍ଟିକ ସେଣ୍ଟରରୁ ଧରାପଡ଼ିଥିବା ଜିଲ୍ଲା କଂଗ୍ରେସ ସଭାପତି ତଥା ଆଇନଜୀବୀ ରଣଜିତ୍ ଦାଶ କ୍ଷୋଭର ସହିତ କହିଛନ୍ତି । ପ୍ରଶ୍ନ ଉଠିଛି ଯେ ସଂପୃକ୍ତ ଘରୋଇ କ୍ଲିନିକରେ ଅଲଟ୍ରାସାଉଣ୍ଡ ମେସିନ କେଉଁ ଡାକ୍ତରଙ୍କ ନାମରେ କିଣା ଯାଇଛି , ଯଦି ଡାକ୍ତର ଖଟୁଆଙ୍କ ନାମରେ ସେହି ମେସିନ ରେଜିଷ୍ଟ୍ରେସନ୍ ନାହିଁ ତେବେ ଡାକ୍ତର ଖଟୁଆ କେଉଁ ଆଧାରରେ ସେଠାରେ ପ୍ରସୂତି ମହିଳାଙ୍କ ଅଲଟ୍ରାସାଉଣ୍ଡ କରୁଥିଲେ ? ଡ଼ା ଖଟୁଆ ଲାଇଫ କେୟାରଠାରେ ଅଲଟ୍ରାସାଉଣ୍ଡ କରୁଥିବାର ଖବର ପାଇ ନୟାଗଡ଼ କଂଗ୍ରେସ ଟିମ୍ ସେଠାରେ ପହଞ୍ଚି ଡାଇଗ୍ନୋଷ୍ଟିକ ସେଣ୍ଟରରୁ ଡାକ୍ତରଙ୍କୁ ଧରିଥିଲେ ।ସେଠାରେ ଦେଖାଯାଇଥିଲା ଯେ ଅଲଟ୍ରାସାଉଣ୍ଡ କରାଯାଉଥିବା ମହିଳା ମାନଙ୍କର ଫର୍ମ ଡି ପ୍ରସ୍ତୁତ ନକରି ଫର୍ମ ଏଫରେ ଅଲଟ୍ରାସାଉଣ୍ଡ ରିପୋର୍ଟ ପ୍ରଦାନ କରାଯାଉଛି ।
ତେଣୁ ଭ୍ରୁଣ ଚିହ୍ନଟ ସମ୍ଭାବନା ରହିଥିବା ନେଇ ଆଇନଜୀବୀ ରଣଜିତ୍ ଦାଶ ଚିନ୍ତା ପ୍ରକଟ କରିଛନ୍ତି। ଫର୍ମ ଡି ବିନା ଫର୍ମ ଏଫରେ ଅଲଟ୍ରାସାଉଣ୍ଡ ରିପୋର୍ଟ ପ୍ରଦାନ କରିବା ସମ୍ପୂର୍ଣ୍ଣ ବେଆଇନ କାର୍ଯ୍ୟକୁ କିପରି ଜଣେ ସରକାରୀ ଡାକ୍ତର ପ୍ରାଥମିକତା ଦେଉଥିଲେ ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି । ଯେଉଁ କ୍ଳିନିକରେ ଅଲଟ୍ରାସାଉଣ୍ଡ କରାଯାଉଥିଲା ସେହି ସ୍ଥାନରେ ପ୍ଳାଇ ପାଟିସନ କରି ରୋଗୀ ଦେଖାଯାଉଛି ।ନୟାଗଡ଼ରେ ସମସ୍ତ ଉପରିସ୍ଥ ଅଧିକାରୀ ମାନେ ବେଆଇନ କାର୍ଯ୍ୟକୁ ଆଇନସମ୍ମତ କରୁଥିବାର ରହସ୍ୟ କଣ ରହିଛି ବୋଲି ଶ୍ରୀ ଦାସ ପ୍ରଶ୍ନ ଉଠାଇଛନ୍ତି ।ଟଙ୍କା ଲୋଭରେ ସରକାରୀ ଡାକ୍ତର ମାନେ ବିଭିନ୍ନ କ୍ଲିନିକ୍ ଏବଂ ନର୍ସିଂ ହୋମରେ ରୋଗୀ ଚିକିତ୍ସା ବନ୍ଦ କରିବା ପାଇଁ ଆସନ୍ତା ସୋମବାର ଡିସିସି ପ୍ରତିନିଧି ସିଡିଏମଓ ଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାବ୍ୟାପୀ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆଣିବା ପାଇଁ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଲିଖିତ ଦାବି କରାଯିବ ।ସେହିପରି ଲାଇଫ କେୟାର ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଅଲଟ୍ରାସାଉଣ୍ଡ ମେସିନ କାହା ନାମରେ ରେଜିଷ୍ଟ୍ରେସନ୍ ରହିଛି ଏବଂ ଏହା ନିୟମିତ କେଉଁ ଡାକ୍ତରଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଚାଲିଛି ତାହାର ତଦନ୍ତ କରାଯାଇ ଉଚିତ୍ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।
