
ନୟାଗଡ଼ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ଶନିବାର ଦିନ ପାରମ୍ପରିକ ରୀତିନୀତି ସମ୍ପନ୍ନ ସହିତ ଜଗନ୍ନାଥ ମନ୍ଦିର ପରିସରରେ ମହାସମାରୋହରେ ଝୁଲଣ ଯାତ୍ରା ଉଦଯାପିତ ହୋଇଯାଇଛି l ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶ୍ରାବଣ ମାସର ଶୁକ୍ଳପକ୍ଷ ଦଶମୀ ତିଥିଠାରୁ ଆରମ୍ଭ ହୋଇ ଭାଦ୍ରବ ପ୍ରତିପଦ ତିଥି ପର୍ଯ୍ୟନ୍ତ ସାତ ଦିନ ଧରି ଅତି ଆଡମ୍ବର ସହକାରେ ମହାପ୍ରଭୂଙ୍କ ଝୁଲଣ ଯାତ୍ରା ପାଳିତ ହୋଇଯାଇଅଛି l
ଝୁଲଣ ଯାତ୍ରା ହେଉଛି ଓଡ଼ିଶାର ଏକ ପ୍ରମୁଖ ଏବଂ ପବିତ୍ର ଆଧ୍ୟାତ୍ମିକ ଗଣପର୍ବ, ଯାହା ମୁଖ୍ୟତଃ ରାଧା-କୃଷ୍ଣଙ୍କ ଦିବ୍ୟ ପ୍ରେମ ଏବଂ ଲୀଳାକୁ ଆଧାର କରି ପାଳନ କରାଯାଇଥାଏ। ଏହି ଦିବ୍ୟ ଲୀଳାର ସ୍ମରଣରେ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଆଜି ମଧ୍ୟ ଭଗବାନଙ୍କୁ ଦୋଳିରେ ବସାଇ ଝୁଲାଇବାର ସୁଖ ଲାଭ କରିଛନ୍ତି , ଯାହା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କକୁ ଦର୍ଶାଇଥାଏ। ଝୁଲଣ ଯାତ୍ରା କେବଳ ଏକ ଉତ୍ସବ ନୁହେଁ, ଏହା ଓଡ଼ିଆ ଜୀବନଶୈଳୀ ଓ ଭକ୍ତି ଚେତନାର ଏକ ପ୍ରତିଫଳନ । ଏହି ଅବସରରେ ମନ୍ଦିର ପରିସରରେ ଏକ ସୁନ୍ଦର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରି ପରିଚାଳନା କରିଥିଲେ ।
