
ବୀରମିତ୍ରପୁର : ସୁସ୍ଥତା, ପରିବେଶ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ପ୍ରତି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ରାଉରକେଲା ପୋଲିସ ପକ୍ଷରୁ ରବିବାର ‘ସାଇକେଲ ରାଲି’ କାର୍ଯ୍ୟକ୍ରମର ଏକ ସ୍ୱତନ୍ତ୍ର ସଂସ୍କରଣ ଆୟୋଜିତ ହୋଇଯାଇଛି।
ଅଗଷ୍ଟ ୩୦ ତାରିଖରେ ଆୟୋଜିତ ଏହି ସାଇକେଲ ରାଲି ଉଦିତନଗରସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ରାଉରକେଲାସ୍ଥିତ ଆର୍ଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସମାପ୍ତ ହୋଇଥିଲା। ରାଲିରେ ବହୁ ସଂଖ୍ୟକ ପୋଲିସ ଅଧିକାରୀ ଓ କର୍ମଚାରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ସାଇକେଲ ଚଳାଇବା ଦ୍ୱାରା ଶାରୀରିକ ସୁସ୍ଥତା ବୃଦ୍ଧି ସହ ପରିବେଶ ପ୍ରଦୂଷଣ ହ୍ରାସ କରାଯାଇପାରେ। ଏହି ବାର୍ତ୍ତାକୁ ସମାଜରେ ପହଞ୍ଚାଇବା ସହ ନିୟମିତ ବ୍ୟାୟାମ ଓ ସୁସ୍ଥ ଜୀବନଶୈଳୀ ଆପଣାଇବା ପାଇଁ ଲୋକଙ୍କୁ ପ୍ରେରିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ରାଉରକେଲା ପୋଲିସର ଏଭଳି ପଦକ୍ଷେପ ଏକ ସୁସ୍ଥ, ସବୁଜ ଓ ପରିବେଶ ଅନୁକୂଳ ସମାଜ ଗଠନ ପାଇଁ ଲୋକଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ ପାଇଛି।
