ନୟାଗଡ଼ ମଡେଲ ଡିଗ୍ରୀ କଲେଜରେ ଚାଲିଛି କି ଏକଛତ୍ରବାଦ

Independence

ନୟାଗଡ଼: ନୟାଗଡ଼ ଜିଲ୍ଲା ଲାଠିପଡ଼ା ସ୍ଥିତ ନୟାଗଡ଼ ମଡେଲ ଡିଗ୍ରୀ କଲେଜରେ ଦୁର୍ନୀତି ଅଭିଯୋଗରେ ତନାଘନା ଆରମ୍ଭ ହୋଇଛି ।କଲେଜରେ ଚାଲିଥିବା ଏକଛତ୍ରବାଦ ନୀତିକୁ ନେଇ ରାଜ୍ୟପାଳଙ୍କୁ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି। କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ମାନସ ରଞ୍ଜନ ଶତପଥୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଓ ଅନିୟମିତତା ସହିତ ଛାତ୍ରଛାତ୍ରୀ ମାନଙ୍କୁ ହଇରାଣ ହରକତ ବିରୋଧରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ତଦନ୍ତ ପ୍ରକ୍ରିୟା ହାତକୁ ନିଆଯାଇ ତଦନ୍ତ ଅଧିକାରୀ ଉପନିର୍ଦ୍ଦେଶକ ଡ଼ ଜିତେନ୍ଦ୍ର ସାହୁ ଅଗଷ୍ଟ ୨୮ ତାରିଖରେ କଲେଜରେ ପହଞ୍ଚି ସମସ୍ତ ଅଭିଯୋଗର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛନ୍ତି ।
ସୂଚନା ଅନୁଯାୟୀ ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା, କୌଣସି ପୂର୍ବ ସୂଚନା ନଥାଇ ୨୦୨୫ ବ୍ୟାଚର ପ୍ରଥମ ସେମିଷ୍ଟର କ୍ଲାସ ଦୀର୍ଘ ଦେଢ଼ ମାସ ବନ୍ଦ ରଖାଯାଇଥିଲା ।ଫଳରେ ପାଠ୍ୟକ୍ରମ ଶେଷ ହୋଇନଥିଲା । ଛାତ୍ରଛାତ୍ରୀ ମାନଙ୍କୁ ପାଠାଗାର ସୁବିଧାରୁ ବଞ୍ଚିତ ସହିତ ଅତିଥି ଅଧ୍ୟାପକ ନିଯୁକ୍ତିରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ଉଦ୍ଭିଦ ବିଜ୍ଞାନ ବିଭାଗର ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ସାକ୍ଷାତକାରରେ ୬ ଜଣ ପ୍ରାର୍ଥୀ ଥିବାବେଳେ ସାକ୍ଷାତକାରରେ ଅନୁପସ୍ଥିତ ଥିବା ଜଣେ ପ୍ରାର୍ଥୀଙ୍କୁ ବେଆଇନ ଭାବେ ନିଯୁକ୍ତି କରାଯାଇଛି ।ବିଭିନ୍ନ ବିଭାଗର ଅତିଥି ଅଧ୍ୟାପକଙ୍କୁ ନିଜ ପସନ୍ଦ ଅନୁଯାୟୀ ନିଯୁକ୍ତି କରିବା, କଲେଜର ଅଣ ଶିକ୍ଷକ କର୍ମଚାରୀ ମାନଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇବା ସମ୍ପର୍କରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।ଅଭିଯୋଗ ପାଇବା ପରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ତଦନ୍ତ ପ୍ରକ୍ରିୟା ସାରିଥିବା ବେଳେ ରାଜ୍ୟ ସରକାର କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି ।ଏହାକୁ ନେଇ କଲେଜ ଅଧ୍ୟକ୍ଷଙ୍କ ମତାମତ ମିଳିନାହିଁ ।

ad-week
Leave A Reply

Your email address will not be published.