ବିଷାକ୍ତ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ: ଶୋଇଥିବା ଅବସ୍ଥାରେ ଘଟିଲା ଅଘଟଣ

Independence

ବୀରମିତ୍ରପୁର : ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳାଙ୍କ ପ୍ରାଣହାନି ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ଗୋପୁର ପୂର୍ଣ୍ଣାଟୋଲି ଅଞ୍ଚଳରେ ଦେଖିବାକୁ ମିଳିଛି। ମୃତ ମହିଳା ଜଣକ ହେଲେ ଉକ୍ତ ଗ୍ରାମର ବିଶ୍ରାମ ଭେଙ୍ଗ୍ରାଙ୍କ ପତ୍ନୀ ଫିଲୋମିନା ଭେଙ୍ଗ୍ରା।

ସୂଚନା ଅନୁଯାୟୀ, ଗତକାଲି ରାତିରେ ବିଶ୍ରାମ ଓ ଫିଲୋମିନା ରାତ୍ରିଭୋଜନ ସାରି ଘରେ ଶୋଇଥିଲେ। ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ଏକ ବିଷାକ୍ତ ସାପ ଫିଲୋମିନାଙ୍କ ଡାହାଣ ହାତକୁ କାମୁଡ଼ି ଦେଇଥିଲା। ତେବେ ଏ ବିଷୟରେ ସେ ନିଜ ସ୍ୱାମୀଙ୍କୁ କିଛି ନ ଜଣାଇ ପୁନର୍ବାର ଶୋଇପଡ଼ିଥିଲେ। ଧୀରେ ଧୀରେ ଶରୀରରେ ବିଷକ୍ରିୟା ବ୍ୟାପିବାରୁ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ।

ସକାଳ ପ୍ରାୟ ୬ଟା ବେଳେ ସ୍ୱାମୀ ବିଶ୍ରାମ ନିଜ ପତ୍ନୀଙ୍କ ଅବସ୍ଥା ଦେଖି ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ।

ଏ ନେଇ ମୃତକଙ୍କ ସ୍ୱାମୀ ରାଏବଗା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.