ମାଲକାନଗିରି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବ୍ୟାପକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Independence

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପତ୍ର ସଂଖ୍ୟା ୫୩୪୮ (ତା: ୩୧.୦୮.୨୦୨୬) ଅନୁଯାୟୀ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ବ୍ୟାପକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଜିଲ୍ଲାର ସମସ୍ତ ଡିଗ୍ରୀ କଲେଜ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ପ୍ରଧାନ ଶିକ୍ଷକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଜନସାଧାରଣଙ୍କ ମଧ୍ୟରେ ଟ୍ରାଫିକ୍ ନିୟମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଡ଼କ ସୁରକ୍ଷା ଶପଥ ପାଠ କରାଯିବା ସହ ଦୁଇଚକିଆ ଯାନ ଚଳାଇବା ବେଳେ ହେଲମେଟ୍‌ ଓ ଚାରିଚକିଆ ଯାନ ପାଇଁ ସିଟ୍‌ବେଲ୍ଟ ବ୍ୟବହାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଉଛି। ଏହାସହିତ “ଧୀରେ ଚଲାଅ, ସୁରକ୍ଷିତ ରୁହ” ବାର୍ତ୍ତାକୁ ନେଇ ବିଦ୍ୟାଳୟଗୁଡ଼ିକରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଉଛି।

ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ଯେ, ସଡ଼କ ସୁରକ୍ଷା ହେଉଛି ଜୀବନ ରକ୍ଷାର ମୂଳମନ୍ତ୍ର। ପିଲାମାନେ ହିଁ ଆମ ଭବିଷ୍ୟତର ସଚେତନ ନାଗରିକ, ସେମାନେ ସଚେତନ ହେଲେ ସମ୍ପୂର୍ଣ୍ଣ ପରିବାର ଓ ସମାଜ ସୁରକ୍ଷିତ ରହିପାରିବ। ଏହି କାର୍ଯ୍ୟକ୍ରମଗୁଡ଼ିକରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଶତାଧିକ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରି ସାଧାରଣ ଜନତାଙ୍କୁ ସଡ଼କ ନିୟମ ପାଳନ କରିବା ପାଇଁ ଉତ୍ସାହିତ କରୁଛନ୍ତି।

ad-week
Leave A Reply

Your email address will not be published.