
ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଆଜି ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟଗୁଡ଼ିକର ବାର୍ଷିକ ଯାଞ୍ଚ ସମ୍ପାଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ମାଲକାନଗିରି ବ୍ଲକ ଅନ୍ତର୍ଗତ ବୀରଲକ୍ଷ୍ମଣପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ପାଙ୍ଗାମ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଏବଂ ମାଥିଲି ଥାନା ପରିଦର୍ଶନ କରି ପ୍ରଶାସନିକ କାର୍ଯ୍ୟଶୈଳୀ ଓ ନଥିପତ୍ରଗୁଡ଼ିକର ଅନୁଧ୍ୟାନ କରିଛନ୍ତି। ତୃଣମୂଳ ସ୍ତରରେ ସରକାରୀ କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଏବଂ ସରକାରୀ ଯୋଜନାର ଲାଭ ଯେପରି ସାଧାରଣ ନାଗରିକଙ୍କ ନିକଟରେ ବିନା କୌଣସି ବିଳମ୍ବରେ ପହଞ୍ଚିପାରିବ ତାହା ସୁନିଶ୍ଚିତ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।
ଏହି ବାର୍ଷିକ ଅନୁଧ୍ୟାନ ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ରେକର୍ଡ, ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଏବଂ ଜନସାଧାରଣଙ୍କୁ ମିଳୁଥିବା ସେବାର ଗୁଣବତ୍ତା ନିରୀକ୍ଷଣ କରିଥିଲେ। ସମସ୍ତ କାର୍ଯ୍ୟାଳୟର ନଥିପତ୍ରଗୁଡ଼ିକୁ ସୁସଂଗଠିତ ଓ ଡିଜିଟାଇଜ୍ କରି ରଖିବା ସହ ରାଜସ୍ୱ ଓ ପଞ୍ଚାୟତ ସଂକ୍ରାନ୍ତୀୟ ଜନସାଧାରଣଙ୍କ ସମସ୍ୟାର ସମୟସୀମା ମଧ୍ୟରେ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ମାଥିଲି ଥାନାର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ବୀରଲକ୍ଷ୍ମଣପୁର ଠାରେ ଥିବା ପ୍ରଗତି ପଥେ ଯୁବ ମାଲକାନଗିରି କେନ୍ଦ୍ର ପରିଦର୍ଶନ କରି ଯୁବପିଢ଼ିଙ୍କ ପାଇଁ ଉଦ୍ଦିଷ୍ଟ ଦକ୍ଷତା ବିକାଶ କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ସକ୍ରିୟ କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
