
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସବ ଜେଲରେ ଜଣେ ବିଚାରଧୀନ କଏଦୀ (UTP)ଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ମୃତକ ହେଉଛନ୍ତି ରାୟଗଡ ଥାନା ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ତାଙ୍କଲା ସାହିର ରୁନା ବଡ଼ ରଇତ(୩୧)। ଅଗଷ୍ଟ ୧୦ ତାରିଖରେ ଏକ ପୋସ୍କୋ କେସ ଅଭିଯୋଗରେ ରାୟଗଡ ପୋଲିସ ରୁନା ବଡ଼ ରଇତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ସକାଳୁ ତାଙ୍କ ମୃତ୍ୟୁ ହୋଇଛି ।
ରୁନାଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି ।ପରିବାର ଲୋକେ ଏହା ଏକ ସନ୍ଦେହଜନକ ମୃତ୍ୟୁ ଦର୍ଶାଇ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ମୃତକ ରୁନାଙ୍କ ସ୍ତ୍ରୀ ଜୟମଣି ବଡରଇତ କହିଛନ୍ତି, “ମୋ ସ୍ବାମୀ ସୁସ୍ଥ ଥିଲେ । ତାଙ୍କର କେବେ କୌଣସି ଦେହ ଖରାପ ନଥିବା । ଗତକାଲି ମଧ୍ୟାହ୍ନରେ ସେ ଜେଲରୁ ମୋ ସହ ଫୋନରେ କଥା ହୋଇଥିଲେ । ସେତେବେଳେ ବି ସେ ତାଙ୍କ କୌଣସି ଦେହ ଖରାପ ସଂପର୍କରେ କହିନାହାନ୍ତି ।
ହଠାତ୍ ତାଙ୍କ ମୃତ୍ୟୁ ଖବରକୁ ପରିବାର ଲୋକେ ଗ୍ରହଣ କରିପାରୁନାହାଁନ୍ତି । ତେବେ ରୁନାଙ୍କ ଏଭଳି ଅସ୍ବାଭାବିକ ମୃତ୍ୟୁକୁ ସେ ଗ୍ରହଣ କରିପାରୁନାହାନ୍ତି ବୋଲି କହିବା ସହ ଏହା ପଛରେ ଅନ୍ୟ କିଛି କାରଣ ରହିଥିବା ସେ ସନ୍ଦେହ ପ୍ରକାଶ କରିଛନ୍ତି । ରୁନାଙ୍କ ସଂପର୍କୀୟ ଟୁନା ବଡରଇତଙ୍କ କହିବା କଥା, “ଆମେ ଆସି ଦେଖିବା ବେଳେ ରୁନାଙ୍କ ପାଟିରୁ ଫେଣ ବାହାରୁଥିଲା । ତେଣୁ ଏହାକୁ ନେଇ ସନ୍ଦେହ ପ୍ରକାଶ ପାଉଛି । ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଆମେ ଦାବି କରୁଛୁ ।”
ଏପଟେ ଜେଲ୍ ଅଧୀକ୍ଷକ କାମାକ୍ଷୀ ପ୍ରସାଦ ପତିଙ୍କ କହିବା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟାରେ ରୁନା ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଜେଲ୍ ଫାର୍ମାସିଷ୍ଟ ତାଙ୍କୁ ଔଷଧ ଦେଇଥିଲେ । ପରେ ସ୍ଥିତି ସୁଧୁରିଥିଲେ ବି ରାତି ସାଢ଼େ ୧୨ଟାରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା । ଫଳରେ ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ସୂଚନା ଅନୁଯାୟୀ, ହସ୍ପିଟାଲ ଆଣିବା ବାଟରେ ହିଁ କଏଦୀଙ୍କ ମୃତ୍ୟୁ ଘଟିସାରିଥିବା ଡାକ୍ତରୀ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଯାଞ୍ଚ କରାଯାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ଏବଂ ପୋଲିସ ତଦନ୍ତ ଜାରି ରଖିଛି । ତେବେ ମୃତ୍ୟୁର ପ୍ରକୃତ ସତ୍ୟ ସମ୍ପୂର୍ଣ୍ଣ ତଦନ୍ତ ଏବଂ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇପାରିବ ।
