ବିଷାକ୍ତ ମଦ ପିଇ ୧୨ ମୃତ

Independence

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇବା ଯୋଗୁଁ ଏପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୩୫ ଜଣଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି। ଗୁରୁତର ରୋଗୀଙ୍କୁ ବୁନ୍ଦେଲଖଣ୍ଡ ମେଡିକାଲ କଲେଜ ଏବଂ ସାଗର ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି ବୋଲି ଅଧିକାରୀ ପ୍ରକାଶ କରିଛନ୍ତି।

ଜିଲ୍ଲାପାଳ ପ୍ରତିଭା ପାଲଙ୍କ ଅନୁଯାୟୀ, ଏହି ଘଟଣା ବାଣ୍ଡା ଥାନା ଅଞ୍ଚଳର ନୌରୋଜା ଏବଂ ଘୁଘରା ଖୁର୍ଦ ଗାଁରେ ଘଟିଛି। ଶନିବାର ଭୋର ପ୍ରାୟ ୪:୩୦ ସମୟରେ ପ୍ରଥମ ରିପୋର୍ଟ ମିଳିଥିଲା। ପ୍ରଭାବିତ ଗ୍ରାମଗୁଡ଼ିକରେ ସ୍କ୍ରିନିଂ ଚାଲିଛି ଏବଂ ଯେଉଁମାନେ ମଦ ପିଇଥିଲେ ସେମାନଙ୍କର ପରୀକ୍ଷା କରାଯାଉଛି। ଯେଉଁମାନଙ୍କ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ବୁନ୍ଦେଲଖଣ୍ଡ ମେଡିକାଲ କଲେଜକୁ ପଠାଯାଉଛି। ତେବେ ପୋଷ୍ଟମର୍ଟମରୁ ମିଥାଇଲ୍ ଆଲକୋହଲ୍ ସେବନ ହୋଇଥିବା ଜଣାପଡ଼ିଛି।

ସେହିପରି ପୋଲିସ ଅଧୀକ୍ଷକ ଅନୁରାଗ ସୁଜାନିଆ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ ମଦ ଉତ୍ତର ପ୍ରଦେଶର ଲଳିତପୁରରୁ ଯୋଗାଣ କରାଯାଇଥିଲା। କିଛି ଲୋକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଲଳିତପୁରରେ ମଧ୍ୟ ଏହି ବିଷାକ୍ତ ମଦ ନେଟୱାର୍କର ତଦନ୍ତ କରାଯାଉଛି। ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ମଧ୍ୟ ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ad-week
Leave A Reply

Your email address will not be published.