ଲାଞ୍ଚ ନେବା ବେଳେ ଦୁଇ ରାଜସ୍ୱ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

Independence

କଟକ : କିସମ ପରିବର୍ତ୍ତନ କରି ଜମି ପଟ୍ଟା ଯୋଗାଇ ଦେବା ପାଇଁ ଲାଞ୍ଚ ନେଇ ଦୁଇ ରାଜସ୍ୱ ଅଧିକାରୀ ଭିଜିଲାନ୍ସ ଜାଲରେ ।  ପୁରୀ ଜିଲ୍ଲା ପିପିଲି ତହସିଲ ଅଧୀନ ସିଉଳା ଆର୍ ଆଇ ସର୍କଲର ରାଜସ୍ୱ ନିରୀକ୍ଷକ କଲ୍ୟାଣୀ ଜେନା ଓ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ଚାଷ ଜମିକୁ ଘରବାଡ଼ି ଜମିରେ ପରିବର୍ତ୍ତନ ପାଇଁ ମ୍ୟୁଟେସନ୍ ମାମଲାର ତଦନ୍ତ ରିପୋର୍ଟ ପ୍ରସ୍ତୁତ ଓ ଫାଇଲ ଅଗ୍ରସର କରିବା ପାଇଁ ଆବେଦନକାରୀଙ୍କୁ ଦୁଇ ଅଧିକାରୀ ୩୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନଦେଲେ ମାମଲା ଆଗକୁ ବଢ଼ାଯିବ ନାହିଁ ବୋଲି ଜିଦ୍ ଧରିଥିଲେ ।  ବାରମ୍ବାର ଅନୁରୋଧ ସତ୍ତ୍ୱେ ଲାଞ୍ଚ ଦାବିରେ ଅଟଳ ରହିବାରୁ ଆବେଦନକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।

ଯୋଜନା ଅନୁସାରେ ଆଜି ଭିଜିଲାନ୍ସ ଟିମ୍ ଚଢ଼ଉ କରି ଦୁଇ ଅଧିକାରୀଙ୍କୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିଥିଲା। ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।ଚଢ଼ଉ ପରେ ଦୁଇ ଅଭିଯୁକ୍ତଙ୍କ ସହ ସମ୍ପର୍କିତ ଭୁବନେଶ୍ୱରର ରସୁଲଗଡ଼ ସମେତ ଚାରିଛକ ଓ ଚନ୍ଦନପୁରର ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦିଗରୁ ମଧ୍ୟ ତଦନ୍ତ କରାଯାଉଛି  ।  ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି ।  ଦୁଇ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି ।

ad-week
Leave A Reply

Your email address will not be published.