୨ ଲକ୍ଷ କେଜିର ଗଞ୍ଜେଇ ପୋଡ଼ିଲା ପୁଲିସ୍‌

add-all

ବିଶାଖାପାଟଣା : ଶହେ କି ଦୁଇ ଶହ କିଲୋ ନୁହେଁ, ୨ ଲକ୍ଷ କିଲୋ ଗଞ୍ଜେଇକୁ ପୋଡ଼ି ନଷ୍ଟ କରିଛି ଆନ୍ଧ୍ର ପ୍ରଦେଶ ପୁଲିସ୍‌। ନଷ୍ଟ କରାଯାଇଥିବା ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦୦ କୋଟି ଟଙ୍କା ହେବ। ଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟର ବିଶାଖାପାଟଣା, ବିଜୟନଗରମ, ଶ୍ରୀକାକୁଲମ ଓ ପୂର୍ବ ଗୋଦାବରୀ ଜିଲାରୁ ଏହି ୨ ଲକ୍ଷ କେଜି ଗଞ୍ଜେଇ ଜବତ କରାଯାଇଥିଲା। ସେଥିରୁ କେବଳ ବିଶାଖାପାଟଣା ଜିଲାରୁ ୧.୫ ଲକ୍ଷ କେଜି ଜବତ ହୋଇଥିଲା। ଶ୍ରୀକାକୁଲମ, ବିଜୟନଗରମ ଓ ପୂର୍ବ ଗୋଦାବରୀ ଜିଲାରୁ ୫୦ ହଜାର କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏନେଇ ୪ଟି ଯାକ ଜିଲ୍ଲାର ବିଭିନ୍ନ ଥାନାରେ ୧୨୦୦ରୁ ଅଧିକ ମାମଲା ରୁଜୁ ହୋଇଛି।
ଏହି ଗଞ୍ଜେଇକୁ ଆଜି ବିଶାଖାପାଟଣା ଜିଲାର ଆନାକାପଲ୍ଲୀ ନିକଟ କୋଡୁରୁ ଗାଁ ନିକଟରେ ପୋଡ଼ି ଦିଆଯାଇଥିଲା। ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନା କରାଯାଇଥିଲା। ଏଥିରେ ଆନ୍ଧ୍ର ପ୍ରଦେଶ ଡିଜିପି ଗୌତମ ସ୍ଵାଂଗ ଯୋଗ ଦେଇଥିଲେ। ଦୁଇ ଦିନ ଧରି ୭୦ଟି ଟ୍ରକ୍‌ରେ ଏହି ସବୁ ଗଞ୍ଜେଇକୁ କୋଡୁରୁ ଗ୍ରାମକୁ ଅଣାଯାଇଥିଲା।
ଆନ୍ଧ୍ର ପ୍ରଦେଶ ଡିଜିପି କହିଛନ୍ତି, ବିଶାଖାପାଟଣା ଜିଲ୍ଲାରୁ ଦେଶର ବିଭିନ୍ନ ରାଜ୍ୟକୁ ବହୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ଏହାକୁ ରୋକିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ଗଞ୍ଜେଇ ଚାଷ ବନ୍ଦ କରିବା ପାଇଁ ‘ପରିବର୍ତନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ଗଞ୍ଜେଇ ଚାଷ ନ କରିବା ପାଇଁ ସଚେତନ କରାଯାଉଛି।
ବିଶାଖାପାଟଣା ଜିଲ୍ଲାରେ ବ୍ୟାପକ ମାତ୍ରାରେ ଗଞ୍ଜେଇ ଚାଷ ହେଉଥିଲା। ଗ୍ରାମୀଣ ପୁଲିସ ଦ୍ୱାରା ଏଠାରୁ ୨୦୧୮ ମସିହା ଫେବ୍ରୁଆରୀ ମାସରେ ୧୧,୪୯୩ କିଲୋ, ମାର୍ଚ୍ଚ ମାସରେ ୭,୩୬୭ କିଲୋ ଓ ଅଗଷ୍ଟ ମାସରେ ୪୩,୩୪୧ କିଲୋଗ୍ରାମ ଗଞ୍ଜେଇ ଜବତ କରି ପୋଡ଼ି ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ବିଶାଖାପାଟଣା ଜିଲାରେ ୭୫୦୦ ଏକର ଜାଗାରୁ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।

ad-week
Leave A Reply

Your email address will not be published.