
କୋଚି : ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ମଝି ଆକାଶରୁ ଫେରିଛି ବିମାନ । କୋଚିରୁ ଆବୁଧାବି ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ବୋଇଂ ୭୩୭ ବିମାନ IX 415କୁ ଉଡ଼ାଣ ମଝିରୁ ପୁଣି କୋଚି ଫେରିବାକୁ ପଡ଼ିଛି । ବିମାନର ନମ୍ବର-୧ ଇଞ୍ଜିନରେ ତେଲର ପରିମାଣ ଦ୍ରୁତ ଗତିରେ କମିଯାଉଥିବା ଜଣାପଡ଼ିବା ପରେ ବିମାନ କ୍ରୁ ସତର୍କ ହୋଇଥିଲେ । ଇଞ୍ଜିନରେ ଅଏଲ୍ ପ୍ରେସର ବିପଦ ସୀମାରେ ପହଞ୍ଚିବା ପରେ ଏହାକୁ ବନ୍ଦ କରାଯାଇଥିଲା । ଏହାପରେ ବିମାନକୁ ସୁରକ୍ଷିତ ଭାବେ କୋଚି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଅବତରଣ କରାଯାଇଥିଲା ।
ସୂଚନା ଅନୁସାରେ, କୋଚିରୁ ବିମାନ ଉଡ଼ିବାର ପ୍ରାୟ ୫୦ ମିନିଟ୍ ପରେ ଏହି ସମସ୍ୟା ଦେଖାଦେଇଥିଲା । ବିମାନଟି ପ୍ରାୟ ୩୬ ହଜାର ଫୁଟ୍ ଉଚ୍ଚତାରେ ଉଡ଼ୁଥିବା ବେଳେ ପାଇଲଟ୍ ଓ କୋ-ପାଇଲଟ୍ ନମ୍ବର-୧ ଇଞ୍ଜିନରେ ତେଲର ପରିମାଣ ଲଗାତାର ହ୍ରାସ ପାଉଥିବା ଦେଖିବାକୁ ପାଇଥିଲେ ।
ଇଞ୍ଜିନରେ ଦେଖାଦେଇଥିବା ଅସ୍ୱାଭାବିକ ସ୍ଥିତିକୁ ନେଇ କ୍ରୁ FORDEC ପ୍ରକ୍ରିୟା ଅନୁସାରେ ପରିସ୍ଥିତିର ଆକଳନ କରିଥିଲେ । ଯାଞ୍ଚ ସମୟରେ ମଧ୍ୟ ନମ୍ବର-୧ ଇଞ୍ଜିନ୍ର ତେଲର ପରିମାଣ କମିଯାଇଥିଲା । ଏହାକୁ ଦୃଷ୍ଟିରେ ରଖି କ୍ରୁ ଆବୁଧାବି ଯାତ୍ରା ଜାରି ନରଖି କୋଚିକୁ ଫେରିବା ନିଷ୍ପତ୍ତି ନେଇଥିଲେ ।
ଯାଞ୍ଚ ପରେ ନମ୍ବର-୧ ଇଞ୍ଜିନ୍ର ଅଏଲ୍ ପ୍ରେସର ବିପଦପୂର୍ଣ୍ଣ ଅବସ୍ଥାରେ ପହଞ୍ଚିବା ପରେ ଏହାକୁ ସର୍ତକତାମୂଳକ ଭାବେ ବନ୍ଦ କରାଯାଇଥିଲା । ଏହାପରେ ବିମାନଟି ଆବୁଧାବି ଅଭିମୁଖେ ନଯାଇ ପୁଣି କୋଚି ଆଡ଼କୁ ଫେରିଥିଲା । ଶେଷରେ ବିମାନଟି କୋଚି ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ସୁରକ୍ଷିତ ଭାବେ ଅବତରଣ କରିଥିଲା । ଇଞ୍ଜିନରେ ତେଲ କମିବାର ପ୍ରକୃତ କାରଣ ନେଇ ଯାଞ୍ଚ କରାଯାଉଛି ।
