
ଭୁବନେଶ୍ୱର : ରାଜ୍ୟର ବରିଷ୍ଠ ପ୍ରଶାସନିକ ସ୍ତରରେ ପୁଣି ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର । ୩ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ସାଧାରଣ ପ୍ରଶାସନ, ଖଣି ଏବଂ ସାମାଜିକ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଏହି ପରିବର୍ତ୍ତନ ହୋଇଛି।
୧୯୯୮ ବ୍ୟାଚ୍ IAS ସୁରେଶ କୁମାର ବଶିଷ୍ଠଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (GA & PG) ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି। ସେ ପୂର୍ବରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ଥିବାବେଳେ GA & PG ଏବଂ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିଲେ। ଏବେ GA & PG ବିଭାଗର ପୂର୍ଣ୍ଣ ଦାୟିତ୍ୱ ତାଙ୍କୁ ଦିଆଯାଇଛି। ଏହା ସହ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତାଙ୍କ ପାଖରେ ରହିବ।
ସେହିପରି ୨୦୧୦ ବ୍ୟାଚ୍ IAS ସୁଧାଂଶୁ ମୋହନ ସାମଲଙ୍କୁ ଓଡ଼ିଶା ମାଇନିଂ କର୍ପୋରେସନ୍ (OMC)ର ଚେୟାରମ୍ୟାନ୍-କମ୍-ମ୍ୟାନେଜିଂ ଡାଇରେକ୍ଟର (CMD) ଭାବେ ନୂଆ ଦାୟିତ୍ୱ ମିଳିଛି। ସେ ବର୍ତ୍ତମାନ OMCର ପରିଚାଳନା ନିର୍ଦ୍ଦେଶକ ଥିବା ସହ କଟକ କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନାଲ କମିଶନର (RDC) ଦାୟିତ୍ୱରେ ଅଛନ୍ତି। CMD ଦାୟିତ୍ୱ ସହ RDC କେନ୍ଦ୍ରାଞ୍ଚଳର ଅତିରିକ୍ତ ଦାୟିତ୍ୱ ମଧ୍ୟ ସେ ପୂର୍ବଭଳି ତୁଲାଇବେ। ସାମଲ OMCର CMD ଭାବେ ଦାୟିତ୍ୱ ନେବା ଦିନଠାରୁ IAS ଗିରିଶ ଏସ୍.ଏନ୍.ଙ୍କ OMC ଚେୟାରମ୍ୟାନ୍ ଭାବେ ଥିବା ଅତିରିକ୍ତ ଦାୟିତ୍ୱ ଶେଷ ହେବ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନରେ ୨୦୧୦ ବ୍ୟାଚ୍ IAS ଡା. ବୃନ୍ଦା ଡି.ଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ (SSEPD) ବିଭାଗର କମିଶନର-କମ୍-ସଚିବ ଭାବେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ (NHM)ର ମିଶନ୍ ଡାଇରେକ୍ଟର ଥିବା ସହ ଷ୍ଟେଟ୍ ହେଲ୍ଥ ଆସ୍ୟୁରାନ୍ସ ସୋସାଇଟିର CEO ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ । ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି।
